ଚଳିତ ନିର୍ବାଚନ ପାଇଁ ଶନିବାର ଓ ରବିବାର ସମେତ ସମସ୍ତ ସାଧାରଣ ଛୁଟି ବାତିଲ
1 min read
ଭୁବନେଶ୍ୱର : ଚଳିତ ନିର୍ବାଚନ ପାଇଁ ଶନିବାର ଓ ରବିବାର ସମେତ ସମସ୍ତ ସାଧାରଣ ଛୁଟିକୁ ବାତିଲ କରାଯାଇଛି। ଫଳରେ ଶନିବାର ଓ ରବିବାର ପଡୁଥିବା ମେ’ ମାସର ୧୧, ୧୨, ୧୯, ୨୩, ୨୫, ୨୬, ୩୦ ଓ ଜୁନ୍ ୨ ତାରିଖ ସାଧାରଣ କାର୍ଯ୍ୟ ଦିବସ ଭାବେ ପରିଗଣିତ ହେବ। ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସ୍ବାଭାବିକ ଭାବରେ ଅଫିସ୍ କାର୍ଯ୍ୟରେ ଯୋଗଦେବେ। ଏଥିରେ କୌଣସି ବ୍ୟତିକ୍ରମ ହେଲେ ତାହାକୁ ଗୁରୁତର ଭାବେ ବିବେଚନା କରାଯିବ ବୋଲି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।
ସୂଚନାନୁସାରେ, ଆସନ୍ତା ମେ ୧୩ରେ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ | ଓଡ଼ିଶାର ଚାରୋଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ସମସ୍ତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ । ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ। ତେବେ ୪ ଲୋକସଭା କ୍ଷେତ୍ର ପାଇଁ ୩୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୪ ଲୋକସଭା କ୍ଷେତ୍ରରେ ୨୮ ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ। ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ଉର୍ଦ୍ଧ୍ବ ଭୋଟର ରହିଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି।