July 27, 2024

ବାଇକ୍‌ ଶୋଭାଯାତ୍ରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

1 min read

ଧାମରା: ଚାନ୍ଦବାଲି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଲାଗି ବାଇକ୍‌ ଶୋଭାଯାତ୍ରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ୪ ଜଣ ଆହତ ହୋଇଥିବାବେଳେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ସୂଚନା ଅନୁସା​‌ରେ, ଶୁକ୍ରବାର ସକାଳେ ଘଣ୍ଟେଶ୍ଵର ବିଜେପି ଏବଂ ବିଜେଡି ପକ୍ଷରୁ ରାଲି ବାହାରିଥିବା ବେଳେ ଗୋଟିଏ ଦଳର ଯୁବ ଗୋଷ୍ଠୀ ଅନ୍ୟ ଦଳର ବାଇକ୍‌ ଶୋଭାଯାତ୍ରାକୁ ରାସ୍ତା ଛାଡି ନ ଥିଲେ।

ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବାକଯୁଦ୍ଧ ହୋଇଥିଲା। ମାତ୍ର ନାମାଙ୍କନ ସମୟ ଗଡ଼ିଯାଉଥିବାରୁ ସମସ୍ତ ବ୍ୟକ୍ତିବିଶେଷ ସେହି ସ୍ଥାନ ଛାଡି ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲେ। ନାମାଙ୍କନ ପତ୍ର ଦାଖଲ ପରେ ୨ ଦଳର ଲୋକେ ନିଜ ନିଜ ଘରକୁ ଫେରିଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କାହିଁକି ଆମକୁ ରାସ୍ତା ଛାଡିଲ ନାହିଁ ବୋଲି ଗୋଟିଏ ଦଳର ଯୁବକମାନେ ଅନ୍ୟ ଦଳର ଯୁବକମାନଙ୍କୁ ପଚାରିଥିଲେ। ଏହାକୁ ନେଇ ପ୍ରଥମେ ବାକଯୁଦ୍ଧ ପରେ ଗଣ୍ଡଗୋଳ ହୋଇଥିଲା। ୨ ଗୋଷ୍ଠୀ ପକ୍ଷରୁ ଏ ନେଇ ଘଣ୍ଟେଶ୍ଵର ଫାଣ୍ଡିରେ ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ କରିଥିବା ବାଂଶଡା ଥାନା ଅଧିକାରୀ ଦେବରାଜ ଜେନାଙ୍କ ନିକଟରୁ ସୂଚନା ମିଳିଛି। ଏହି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *