‘ମୁରାସୁ’ ପ୍ରଭାବରୁ ଓଡ଼ିଶା ବର୍ତ୍ତି ଯାଇଛି
1 min read
Water flowing along the street curb during heavy rain. Close up of splashing raindrops and air bubbles.
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ମୁରାସୁ’ ପ୍ରଭାବରୁ ଓଡ଼ିଶା ବର୍ତ୍ତି ଯାଇଛି। ଏହି ବାତ୍ୟା ଗତ ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ଏହା ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଜିଲା ବିଶେଷ ପ୍ରଭାବିତ ହୋଇନାହିଁ। କିନ୍ତୁ, ଗତ ୨୪ଘଣ୍ଟାରେ ସାରା ରାଜ୍ୟରେ ହାରାହାରି ୨ ମିମି ବର୍ଷା ହୋଇଛି। ପୁରୀରେ ୧୩.୬ମିମି ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ୧୮.୨ମିମି, ପାରଳାଖେମୁଣ୍ଡିରେ ୧୬ମିମି, ଗୋପାଳପୁର ୧୨.୯ମିମି ବର୍ଷା ହୋଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଆଦି ଜିଲାଗୁଡ଼ିକରେ ୧୦ ମିମିରୁ କମ୍ ବର୍ଷା ହୋଇଛି। ଭୀଷଣ ବାତ୍ୟା ‘ମୁରାସୁ’ ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ‘ମୁରାସୁ’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ଏବଂ ମଙ୍ଗଳବାର ମଧ୍ୟ ରାତିରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତ ରୂପ ନେବା ପରେ ଘଣ୍ଟା ପ୍ରତି ୫୫ କିମିରୁ ୬୫ କିମି ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୭୫ କିମି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ବଜ୍ରପାତ, ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଅପରପକ୍ଷେ, ଆସନ୍ତା ୧୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ସମ୍ଭାବ୍ୟ ଲଘୁଚାପ କେତେଦୂର ଘନୀଭୂତ ହେବ ଏବଂ ତୀବ୍ରତା କ’ଣ ରହିବ ସେନେଇ ସ୍ପଷ୍ଟ ଆକଳନ କରାଯାଇ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି।


