ଆସନ୍ତାକାଲିଠୁ ଓଡ଼ିଶାରେ ବଦଳିବ ପାଗ: ୩ରୁ ୫ ଡିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା
1 min read
CREATOR: gd-jpeg v1.0 (using IJG JPEG v62), quality = 82
ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାରଠାରୁ ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ବଢ଼ିବ। ଏବେ ବାତ୍ୟା ‘ରେମଲ’ର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବସହ ପାଗ ମେଘୁଆ ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ମୌସୁମୀ ଆସୁଥିବାରୁ ରାଜ୍ୟରେ ହିଟୱେଭ ସ୍ଥିତି ଦେଖାଯିବାର ସମ୍ଭାବନା ନାହିଁ। ତେବେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି।
ଗତ ୨୪ ଘଣ୍ଟାରେ ନୟାଗଡ଼ ଜିଲ୍ଲା ରଣପୁରରେ ସର୍ବାଧିକ ୯୨.୮ ମିଲିମିଟର ବର୍ଷା ହୋଇଛି। ସେହିପରି କେନ୍ଦ୍ରାପଡ଼ାର ରାଜନଗରରେ ୭୮ ମିଲିମିଟର, ଆଳିରେ ୭୦ ମିଲିମିଟର, ନୟାଗଡ଼ର ଭାପୁରରେ ୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଆସନ୍ତା ୫ ଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏବେ ମୌସୁମୀର ଆଗମନ ନେଇ ସ୍ଥିତି ଅନୁକୂଳ ଥିବା କୁହାଯାଇଛି।