ସବୁ ସ୍କୁଲରୁ ପାସ୍, ପାସ୍ ହାରରେ ଗଜପତି ଆଗରେ
1 min read
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକ ରେଗୁଲାର୍, ଏକ୍ସ ରେଗୁଲାର୍ ଓ ପତ୍ରବିନିମୟ ଛାତ୍ରଛାତ୍ରୀଙ୍କ ମୋଟ ପାସ୍ ହାର ରହିଛି ୯୪.୬୯ ପ୍ରତିଶତ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଚଳିତବର୍ଷ ରେଗୁଲାର ଛାତ୍ରଙ୍କ ପାସ୍ ହାର ୯୪ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ରହିଛି ୯୬ ପ୍ରତିଶତ। ଏ ବର୍ଷ ଶୂନ୍ୟ ପାସ୍ ତାଲିକାରେ ରାଜ୍ୟର କୌଣସି ସ୍କୁଲ୍ ରହି ନଥିବା ବେଳେ ୩୨୭୩ଟି ସ୍କୁଲରେ ସମସ୍ତେ ପାସ୍ କରିଛନ୍ତି। ୨୦୨୪ରେ ପାସ୍ ହାର୍ ୯୬.୦୭ ପ୍ରତିଶତ ଥିଲା ବେଳେ ଚଳିତ ବର୍ଷ ୯୪.୬୯ ପ୍ରତିଶତକୁ ହ୍ରାସ ପାଇଛି।
ଆଜି କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ବିଭାଗ କମିସନର ତଥା ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ବୋର୍ଡ ଉପସଭାପତି ଡକ୍ଟର ନିହାରରଞ୍ଜନ ମହାନ୍ତି, ସଂପାଦକ ମଞ୍ଜୁଲତା ମଲ୍ଲିକ, ପରୀକ୍ଷା ନିୟନ୍ତ୍ରକ ଅମ୍ରିତା ପ୍ରୀତିନନ୍ଦା ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାଫଳ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ମାଟ୍ରିକ୍ ପରୀକ୍ଷା ପାଇଁ ଚଳିତ ବର୍ଷ ମୋଟ ୫ ଲକ୍ଷ ୧୦ ହଜାର ୭୭୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୫ ଲକ୍ଷ ୨ ହଜାର ୪୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ୧୬୯ ଜଣ ମାଲ୍ପ୍ରାକ୍ଟିସ୍ ହୋଇଛନ୍ତି। ଜିଲ୍ଲା ଅନୁସାରେ ଗଜପତି ଜିଲ୍ଲାର ପାସ୍ ହାର ସର୍ବାଧିକ (୯୯.୩୫ ପ୍ରତିଶତ) ରହିଥିବା ବେଳେ କୋରାପୁଟ ଜିଲ୍ଲାର ପାସ୍ ହାର ସର୍ବନିମ୍ନ (୯୨.୮୩ ପ୍ରତିଶତ) ରହିଛି। ଗଜପତି ଜିଲ୍ଲା ପରେ ଗଞ୍ଜାମ ଜିଲ୍ଲାର ପାସ୍ ହାର୍ ୯୮.୧୦ ପ୍ରତିଶତ ଏବଂ ଝାରସୁଗୁଡ଼ା ଜିଲ୍ଲାର ପାସ୍ ହାର ୯୭.୮୭ ପ୍ରତିଶତ ରହିଛି। ଏ ବର୍ଷ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର (୯୨.୮୩ ପ୍ରତିଶତ) ରହିଛି। ଚଳିତ ବର୍ଷ ଫେବ୍ରୁଆରି ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହୋଇଥିଲା। ପରୀକ୍ଷା ଶେଷ ହେବାର ୨ ମାସରୁ କମ୍ ସମୟ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରି ବୋର୍ଡ ଏକପ୍ରକାର ରେକର୍ଡ କରିଥିବା କୁହାଯାଉଛି।
ଚଳିତ ବର୍ଷ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୧୮୧୨ ଜଣ ଛାତ୍ରଛାତ୍ରୀ (ଏ-୧) ଗ୍ରେଡ୍ରେ ରହିଛନ୍ତି। କିନ୍ତୁ ମିଳିଥିବା ତଥ୍ୟ ଅନୁଯାୟୀ ପୂର୍ବ ବର୍ଷମାନଙ୍କ ତୁଳନାରେ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା, ପରୀକ୍ଷା ଦେଇଥିବା ଏବଂ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ପରୀକ୍ଷାଫଳର ଏକ ଉଲ୍ଲେଖନୀୟ ଘଟଣା ହେଉଛି ଯେ ଚଳିତ ବର୍ଷ ସରକାରୀ ସ୍କୁଲ୍ଗୁଡ଼ିକ ଅପେକ୍ଷାକୃତ ଭାବେ ଘରୋଇ ଅଥବା ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି। ମୋଟ ୩୨୭୩ ସ୍କୁଲ ଶହେ ପ୍ରତିଶତ ପାସ୍ ହାର ରଖିଥିବା ବେଳେ ସେଥିରେ ୧୮୦୨ଟି ସରକାରୀ ସ୍କୁଲ୍, ୧୧୫୪ଟି ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଏବଂ ୩୧୭ଟି ଘରୋଇ ସ୍କୁଲ୍ ଅଛନ୍ତି।