November 17, 2026

ଏବେ ଇନଷ୍ଟାଗ୍ରାମରେ କମ୍ ଅଶ୍ଳୀଳ ଏବଂ ହିଂସାତ୍ମକ ବିଷୟବସ୍ତୁ ଦେଖିବାକୁ ପାଇବେ

1 min read

ନୂଆଦିଲ୍ଲୀ: ୟୁଜର୍ସମାନେ ଏବେ ଇନଷ୍ଟାଗ୍ରାମରେ କମ୍ ଅଶ୍ଳୀଳ ଏବଂ ହିଂସାତ୍ମକ ବିଷୟବସ୍ତୁ ଦେଖିବାକୁ ପାଇବେ। ମେଟା ଭାରତରେ ପ୍ଲାଟଫର୍ମର ରେକମଣ୍ଡେସନ ସିଷ୍ଟମ ବା ସୁପାରିଶ ପ୍ରଣାଳୀରେ ପରିବର୍ତ୍ତନ କରିଛି। ଏଥିରେ ଅଧିକ ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମଡେଲ ବ୍ୟବହାରକୁ ସାମିଲ କରାଯାଇଛି। ଏହା ଆପତ୍ତିଜନକ ବିଷୟବସ୍ତୁକୁ ଚିହ୍ନଟ କରିବ ଏବଂ ୟୁଜର୍ସଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏହାକୁ ସୀମିତ କରିବ।କମ୍ପାନି ଅନୁଯାୟୀ ଏହି ପରିବର୍ତ୍ତନଗୁଡ଼ିକ ସେହି ଆକାଉଣ୍ଟରୁ ସୁପାରିଶ କରାଯାଇଥିବା ପୋଷ୍ଟଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ ଯେଉଁଗୁଡ଼ିକୁ ବ୍ୟବହାରକାରୀମାନେ ଅନୁସରଣ କରନ୍ତି ନାହିଁ। ଏହି ପଦକ୍ଷେପ ଇନଷ୍ଟାଗ୍ରାମର ଆଲଗୋରିଦମ ମାଧ୍ୟମରେ ବିଷୟବସ୍ତୁର ପହଞ୍ଚକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପରିବର୍ତ୍ତେ ସୀମିତ କରିବ।

ନିର୍ଦ୍ଦେଶାବଳୀ ଆଧାରରେ ବିଷୟବସ୍ତୁ ମୂଲ୍ୟାଙ୍କନ
ମେଟା କହିଛି, ନୂତନ ପରିବର୍ତ୍ତନଗୁଡ଼ିକ ଇନଷ୍ଟାଗ୍ରାମର ରିଲ୍ସ, ଏକ୍ସପ୍ଲୋର ଏବଂ ଫିଡ୍ ବିଭାଗରେ ଲାଗୁ କରାଯାଇଛି। ଯେଉଁଠାରେ ବ୍ୟବହାରକାରୀମାନଙ୍କୁ ସେମାନେ ଅନୁସରଣ କରୁନଥିବା ଆକାଉଣ୍ଟରୁ ପୋଷ୍ଟ ମଧ୍ୟ ଦେଖାଯାଇଥାଏ। ନୂତନ ଏଆଇ ମଡେଲଗୁଡ଼ିକ ଇନଷ୍ଟାଗ୍ରାମର ସୁପାରିଶ ନିର୍ଦ୍ଦେଶାବଳୀ ଆଧାରରେ ବିଷୟବସ୍ତୁ ମୂଲ୍ୟାଙ୍କନ କରିବେ। ଏହା ପ୍ଲାଟଫର୍ମକୁ ସ୍ୱୟଂଚାଳିତ ଭାବରେ ଏପରି ବିଷୟବସ୍ତୁ ଚିହ୍ନଟ କରିବାକୁ ଅନୁମତି ଦେବ ଯାହା ବ୍ୟବହାରକାରୀଙ୍କ ପାଇଁ ଅନୁପଯୁକ୍ତ। ପୂର୍ବରୁ, ପୋଷ୍ଟ ରିପୋର୍ଟ କରିବା କିମ୍ବା ହାଇଡ୍ ଭଳି ବ୍ୟବହାରକାରୀଙ୍କ ମତାମତ ଏପରି ବିଷୟବସ୍ତୁକୁ ସୀମିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା।

ନିର୍ଦ୍ଦେଶାବଳୀ ଏବଂ କମ୍ୟୁନିଟି ଷ୍ଟାଣ୍ଡାର୍ଡ ଭିନ୍ନ ଭିନ୍ନ
କମ୍ପାନି ଦାବି କରିଛି, ଏହି ପରିବର୍ତ୍ତନଗୁଡ଼ିକ ପରେ ଭାରତରେ ସୁପାରିଶ କରାଯାଇଥିବା ବିଷୟବସ୍ତୁ ବିଷୟରେ ଉପଭୋକ୍ତା ଅଭିଯୋଗ ପୂର୍ବ ବର୍ଷ ତୁଳନାରେ ଅଧା ହ୍ରାସ ପାଇଛି। ତେବେ ମେଟା ପ୍ରଭାବିତ ହୋଇଥିବା ମୋଟ ପୋଷ୍ଟ ସଂଖ୍ୟା କିମ୍ବା ସୁପାରିଶର କେତେ ପ୍ରତିଶତ ଫିଲ୍ଟର କରାଯାଇଛି ତାହା ପ୍ରକାଶ କରିନାହିଁ। ମେଟା ସ୍ପଷ୍ଟ କରିଛି, ଇନଷ୍ଟାଗ୍ରାମର ସୁପାରିଶ ନିର୍ଦ୍ଦେଶାବଳୀ ଏବଂ କମ୍ୟୁନିଟି ଷ୍ଟାଣ୍ଡାର୍ଡ ଭିନ୍ନ ଭିନ୍ନ। ଷ୍ଟାଣ୍ଡାର୍ଡ ଉଲ୍ଲଂଘନ କରୁଥିବା ପୋଷ୍ଟଗୁଡ଼ିକୁ ପ୍ଲାଟଫର୍ମରୁ ହଟାଯାଇଥାଏ। ତେବେ କିଛି ବିଷୟବସ୍ତୁ ସମ୍ବେଦନଶୀଳ କିମ୍ବା ଆପତ୍ତିଜନକ ହୋଇପାରେ ମାତ୍ର ଏହା ପ୍ଲାଟଫର୍ମର ନିୟମ ଉଲ୍ଲଂଘନ କରିନଥାନ୍ତି। ଏପରି ବିଷୟବସ୍ତୁକୁ ହଟାଇବା ପରିବର୍ତ୍ତେ ଏହାର ସୁପାରିଶଗୁଡ଼ିକୁ ସୀମିତ କରାଯାଇପାରିବ।

ପୋଷ୍ଟରେ ନଟ୍ ଇଣ୍ଟେଷ୍ଟ୍ରେଡ୍
ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ସେମାନଙ୍କର ପସନ୍ଦ ଅନୁସାରେ ସେମାନଙ୍କର ବିଷୟବସ୍ତୁ ନିୟନ୍ତ୍ରଣ କରିବା ପାଇଁ ଅନେକ ବିକଳ୍ପ ପ୍ରଦାନ କରିଥାଏ। ସମ୍ବେଦନଶୀଳ ବିଷୟବସ୍ତୁ ନିୟନ୍ତ୍ରଣ ବ୍ୟବହାରକାରୀଙ୍କୁ ସନ୍ଧାନ, ରିଲ୍ସ, ଏକ୍ସପ୍ଲୋର ଏବଂ ଫିଡରେ ସମ୍ବେଦନଶୀଳ ପୋଷ୍ଟର ଦୃଶ୍ୟମାନତା ହ୍ରାସ କରି ଚୟନ କରିବାକୁ ଅନୁମତି ଦିଏ। ଏହା ସହିତ ୟୁଜର୍ସମାନେ ଏକ ପୋଷ୍ଟରେ ନଟ୍ ଇଣ୍ଟେଷ୍ଟ୍ରେଡ୍ ଚୟନ କରି ସେହି ପ୍ରକାରର ବିଷୟବସ୍ତୁ ଦେଖିବାକୁ ଚାହୁଁ ନାହାନ୍ତି ବୋଲି ସୂଚାଇ ପାରିବେ।