ଯାଜପୁର ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୭୧ଟି ଅଭିଯୋଗ ପଞ୍ଜିକୃତ, ୨୦ଟିର ତତ୍କାଳ ସମାଧାନ
1 min read
ଯାଜପୁର, ତା ୧୬.୧୧.(ନି.ପ୍ର): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦାନଗଦୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଦାନଗଦୀ ବ୍ଲକ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।
ଆଜିର ଏହି ଶୁଣାଣି ଶିବିରରେ ମୋଟ ୭୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୫୪ଟି ବ୍ୟକ୍ତିଗତ ସମସ୍ୟା, ୩ଟି ସାମୂହିକ ବା ଗ୍ରାମ୍ୟ ସମସ୍ୟା, ୧୩ଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (CMRF) ସହାୟତା ଏବଂ ୧ଟି ରେଡ୍ କ୍ରସ୍ ସହାୟତା ସମ୍ପର୍କିତ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ସମସ୍ତ ଅଭିଯୋଗଗୁଡ଼ିକୁ ଗମ୍ଭୀରତାର ସହ ଶୁଣିବା ସହ ୨୦ଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ ଏବଂ ଅନ୍ୟ ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଯାଜପୁର ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନାଗେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ। ଏହା ବ୍ୟତୀତ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ଥିଲେ।


