ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତି ଖରାପ ହୋଇପଡ଼ିଛି
1 min read
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତି ଖରାପ ହୋଇପଡ଼ିଛି। ରବିବାର ସକାଳେ ଘନ ଧୂଆଁଳିଆ ଆବରଣରେ ସହରର ଅନେକ ଅଞ୍ଚଳ ଢାଙ୍କି ହୋଇ ରହିଥିବାବେଳେ ହାରାହାରି ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୩୫୦ରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ ଏହା ୩୫୨ ରହିଛି। ସହରର ମୋଟ ୫୪ଟି ବାୟୁ ମାନ ଯାଞ୍ଚ କେନ୍ଦ୍ର ମଧ୍ୟରୁ ୪୭ଟି ପ୍ରଦୂଷଣ ସ୍ଥିତି ‘ଅତି ଖରାପ’ ଏବଂ ୭ଟି ‘ଗମ୍ଭୀର’ ଶ୍ରେଣୀରେ ରହିଛି।
ସମୀର ଆପ୍ର ତଥ୍ୟ ଅନୁଯାୟୀ, ଆଇଆଇଟି ଦିଲ୍ଲୀ ଅଞ୍ଚଳରେ ସର୍ବାଧିକ ଏକ୍ୟୁଆଇ ୪୨୮ ରେକର୍ଡ ହୋଇଛି। ଏହା ପଛକୁ ଆଇଟିଓରେ ୪୧୪ ରହିଛି। ତେବେ ସିପିସିବିର ତଥ୍ୟରେ ଏହି ଦୁଇ ସ୍ଥାନର ଏକ୍ୟୁଆଇ ଯଥାକ୍ରମେ ୪୨୫ ଓ ୪୧୫ ରହିଛି। କମନୱେଲ୍ଥ ସ୍ପୋର୍ଟସ କମ୍ପ୍ଲେକ୍ସରେ ୪୦୩, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସ୍ ଓ ପୁସାରେ ୪୦୨ ଲେଖାଏଁ ଏବଂ ବୁରାରି କ୍ରସିଂରେ ୪୦୦ ରେକର୍ଡ ହୋଇଛି। ଅନ୍ୟ ଅଞ୍ଚଳ ମଧ୍ୟରେ ପଞ୍ଜାବୀ ବାଗ୍ରେ ଏକ୍ୟୁଆଇ ୩୮୬, ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ୩୮୩ ଏବଂ ଅକ୍ଷରଧାମରେ ୩୬୫ ରହିଛି। ତୁଳନାତ୍ମକ ଭାବେ ନଜଫଗଡ଼ରେ ୨୯୮, ଆଇଜିଏନ୍ଓୟୁ-ମୈଦାନଗଡ଼ିରେ ୨୭୮ ଓ ଲୋଧି ରୋଡ୍ରେ ୨୮୦ ରହିଥିବାବେଳେ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଏହା ୧୬୫ ରେକର୍ଡ ହୋଇଛି।
ବାୟୁରେ ଥିବା ଅତି ସୂକ୍ଷ୍ମ ଧୂଳିକଣା ପିଏମ୍୨.୫ ଓ ପିଏମ୍୧୦ ଏବେ ଦିଲ୍ଲୀର ପ୍ରମୁଖ ପ୍ରଦୂଷକ। ପିଏମ୍୨.୫ ଫୁସ୍ଫୁସ୍ର ଗଭୀର ଅଂଶକୁ ପ୍ରବେଶ କରିପାରୁଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବାୟୁ ଗୁଣବତ୍ତା ପରିଚାଳନା କମିସନ୍ (ସିଏକ୍ୟୁଏମ୍) ନଭେମ୍ବର ୬ରୁ ଦିଲ୍ଲୀ-ଏନ୍ସିଆର୍ରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ (ଗ୍ରାପ୍)ର ତୃତୀୟ ପର୍ଯ୍ୟାୟ ଲାଗୁ କରିଛି। ଏହି ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ଓ ଧୂଳି ସୃଷ୍ଟି କରୁଥିବା କାର୍ଯ୍ୟକଳାପ ଉପରେ କଟକଣା ସହ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ କଡ଼ାକଡ଼ି କରାଯାଇଛି।
ଅନ୍ୟପକ୍ଷରେ ‘ଜର୍ଣ୍ଣାଲ ଅଫ୍ ଭସ୍କୁଲାର ଡିଜିଜେସ୍’ରେ ପ୍ରକାଶିତ ଏକ ଅଧ୍ୟୟନରେ ଦୀର୍ଘଦିନ ଧରି ସୂକ୍ଷ୍ମ ଧୂଳିକଣାଯୁକ୍ତ ବାୟୁରେ ରହିବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ୧୦ରୁ ୧୬ ପ୍ରତିଶତ ବଢ଼ିପାରେ ବୋଲି ଦର୍ଶାଯାଇଛି। ବିଶ୍ୱର ୨୦ କୋଟିରୁ ଅଧିକ ଅଂଶଗ୍ରହଣକାରୀଙ୍କ ତଥ୍ୟକୁ ଆଧାର କରି ଏହି ଅଧ୍ୟୟନ କରାଯାଇଛି।


