November 17, 2026

ଭଞ୍ଜନଗର ପ୍ରଶାସନ ତତ୍ପର

1 min read

ଭଞ୍ଜନଗର, ୧୭।୧୧ :ବାତ୍ୟା ଅର୍ଣ୍ଣବ ଗଞ୍ଜାମ ଜିଲାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହି ବାତ୍ୟାଜନିତ ବନ୍ୟାର ୨୦ ଦିନ ନ ପୂରୁଣୁ ଆଉ ଏକ ବାତ୍ୟା ଆସିବାର ଆଶଙ୍କା ଦେଖାଦେଇଛି। ଆସନ୍ତା ୧୮ରୁ ୨୦ ତାରିଖ ମଧ୍ୟରେ ଏହାର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ଥିବାରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ବାତ୍ୟାରେ ଯେପରି ଜନଜୀବନ ଓ ସମ୍ପତ୍ତିର କୌଣସି କ୍ଷତି ନ ହୁଏ, ସେଥିପାଇଁ ପ୍ରଶାସନ ତତ୍ପର ହୋଇଉଠିଛି।

ବିଶେଷକରି ପାହାଡ଼ିଆ ଅଞ୍ଚଳ, ନଦୀକୂଳ ଓ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନରେ ଲୋକଙ୍କୁ ରହିବାକୁ ବାରଣ କରାଯାଇଛି। ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ପରିବାରଗୁଡ଼ିକୁ ଚିହ୍ନଟ କରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏଥିସହ ବାତ୍ୟା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ଏନେଇ ବାରମ୍ବାର ସମୀକ୍ଷା ମଧ୍ୟ କରୁଛନ୍ତି। ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଜଳଭଣ୍ଡାର ଜଳସ୍ତର ମଧ୍ୟ କମାଇ ଦିଆଯାଇଛି । ତେଣୁ କେନାଲ ଓ ନଦୀ ରେ ଜଳଭଣ୍ଡାରରୁ ପାଣି ଛାଡ଼ିବା ପ୍ରକ୍ରିୟା ଚାଲିଛି।