July 22, 2024

ଭାରତର ସେବାରେ ଭେଙ୍କେୟା ଗାରୁଙ୍କ ଜୀବନ

1 min read

ଭାରତର ପୂର୍ବତନ ଉପରାଷ୍ଟ୍ରପତି ତଥା ସମ୍ମାନନୀୟ ରାଜନେତା ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଗାରୁ ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି ଏବଂ ତାଙ୍କର ସମସ୍ତ ଶୁଭେଚ୍ଛୁ ଓ ସମର୍ଥକମାନଙ୍କୁ ଶୁଭେଚ୍ଛା ଜଣାଉଛି । ବର୍ତ୍ତମାନର ମୁହୂର୍ତ୍ତ ଏପରି ଜଣେ ନେତାଙ୍କୁ ସମ୍ମାନିତ କରିବାର ଏକ ଅବସର ଯାହାଙ୍କ ଜୀବନ ଯାତ୍ରା ସମର୍ପଣ, ଗ୍ରହଣୀୟତା ଓ ଜନସେବା ପ୍ରତି ଅତୁଟ ସଂକଳ୍ପବଦ୍ଧତା ପ୍ରଦର୍ଶନ କରେ। ରାଜନୀତି କ୍ଷେତ୍ରରେ ପ୍ରାରମ୍ଭିକ ଦିନ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟକାଳ ପର୍ଯ୍ୟନ୍ତ, ଭେଙ୍କେୟା ଗାରୁଙ୍କ କ୍ୟାରିୟର ଭାରତୀୟ ରାଜନୀତିର ଜଟିଳତାକୁ ସହଜ ଓ ନମ୍ରତାର ସହ ପରିଚାଳନା କରିବାରେ ତାଙ୍କ ଅନନ୍ୟ ଦକ୍ଷତାର ଉଦାହରଣ । ବିକାଶମୂଳକ ପ୍ରସଙ୍ଗରେ ତାଙ୍କର ବକ୍ତୃତା, ବୁଦ୍ଧିମତା ଓ ଗଭୀର ଧ୍ୟାନ ଦଳମତ ନିର୍ବିଶେଷରେ ତାଙ୍କୁ ସମ୍ମାନ ଦେଇଛି।
ଭେଙ୍କେୟା ଗାରୁ ଏବଂ ମୁଁ ବହୁ ଦଶନ୍ଧି ଧରି ପରସ୍ପର ସହିତ ଜଡ଼ିତ ରହିଛୁ । ଆମେ ଏକାଠି କାମ କରିଛୁ ଏବଂ ମୁଁ ମଧ୍ୟ ତାଙ୍କଠାରୁ ଅନେକ କଥା ଶିଖିଛି । ଯଦି ତାଙ୍କ ଜୀବନରେ କିଛି ଗୋଟିଏ ଜିନିଷ ଅପରିବର୍ତ୍ତନୀୟ ହୋଇ ରହିଛି, ତାହା ହେଉଛି ଲୋକଙ୍କ ପ୍ରତି ଭଲ ପାଇବା । ଜଣେ ଛାତ୍ର ନେତା ଭାବରେ ଆନ୍ଧ୍ରପ୍ରଦେଶ ଛାତ୍ର ରାଜନୀତିରେ ତାଙ୍କର ସକ୍ରିୟତା ରହିଥିଲା ଏବଂ ଏହି ଠାରୁ ରାଜନୀତି ପ୍ରତି ତାଙ୍କର ଆଗ୍ରହ ଆରମ୍ଭ ହୋଇଥିଲା । ତାଙ୍କର ପ୍ରତିଭା, ବକ୍ତୃତା କୌଶଳ ଓ ସାଂଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ଯେକୌଣସି ରାଜନୈତିକ ଦଳରେ ତାଙ୍କୁ ସ୍ୱାଗତ କରାଯାଇ ପାରିଥା’ନ୍ତା; କିନ୍ତୁ ସେ ସଂଘ ପରିବାର ସହିତ କାମ କରିବାକୁ ପସନ୍ଦ କରିଥିଲେ କାରଣ ସେ ରାଷ୍ଟ୍ର ପ୍ରଥମ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ଥିଲେ । ସେ ଆରଏସଏସ, ଏବିଭିପି ସହ ଜଡିତ ଥିଲେ ଏବଂ ପରେ ଜନସଂଘ ଓ ବିଜେପିକୁ ମଜବୁତ କରିଥିଲେ ।
ପାଖାପାଖି ୫୦ ବର୍ଷ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ସମୟରେ ଯୁବ ଭେଙ୍କେୟା ଗାରୁ ଜରୁରୀ ପରିସ୍ଥିତି ବିରୋଧୀ ଜନଆନ୍ଦୋଳନରେ ନିଜକୁ ନିୟୋଜିତ କରିଥିଲେ। ଲୋକନାୟକ ଜେପିଙ୍କୁ ଆନ୍ଧ୍ରପ୍ରଦେଶକୁ ନିମନ୍ତ୍ରଣ କରିଥିବାରୁ ତାଙ୍କୁ ଜେଲରେ ରଖାଯାଇଥିଲା । ଗଣତନ୍ତ୍ର ପ୍ରତି ଏହି ସଂକଳ୍ପବଦ୍ଧତା ତାଙ୍କ ରାଜନୈତିକ କ୍ୟାରିୟରରେ ବାରମ୍ବାର ଦେଖିବାକୁ ମିଳିଥିଲା । ୧୯୮୦ ଦଶକ ମଧ୍ୟଭାଗରେ ଯେତେବେଳେ ମହାନ ଏନଟିଆର ସରକାରକୁ କଂଗ୍ରେସ ଅଯଥାରେ ବହିଷ୍କାର କଲା, ସେତେବେଳେ ସେ ପୁଣି ଗଣତାନ୍ତ୍ରିକ ସିଦ୍ଧାନ୍ତର ସୁରକ୍ଷା ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଭେଙ୍କେୟା ଗାରୁ ସବୁବେଳେ ତାଙ୍କ ଜୀବନରେ ପ୍ରତିକୂଳ ଜୁଆରର ବିପରୀତ ଦିଗରେ ପହଁରିବାରେ ଆନନ୍ଦ ପାଇଛନ୍ତି । ୧୯୭୮ ମସିହାରେ ସମଗ୍ର ଆନ୍ଧ୍ରପ୍ରଦେଶ କଂଗ୍ରେସକୁ ଭୋଟ୍ ଦେଇଥିଲା କିନ୍ତୁ ସେ ଏହି ଧାରାକୁ ପଛରେ ପକାଇ ଯୁବ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପାଞ୍ଚ ବର୍ଷ ପରେ ଯେତେବେଳେ ଏନଟିଆର ସୁନାମି ରାଜ୍ୟରେ ବ୍ୟାପିଗଲା, ସେତେବେଳେ ମଧ୍ୟ ସେ ବିଜେପି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ, ଯାହା ଫଳରେ ସାରା ରାଜ୍ୟରେ ବିଜେପିର ଅଭିବୃଦ୍ଧି ପାଇଁ ବାଟ ଖୋଲିଥିଲା ।
ଭେଙ୍କେୟା ଗାରୁଙ୍କ ଭାଷଣ ଶୁଣିଥିବା ସମସ୍ତେ ତାଙ୍କ ବକ୍ତୃତା ଦକ୍ଷତାକୁ ପ୍ରଶଂସା କରିଛନ୍ତି । ସେ ନିଶ୍ଚିତ ଭାବରେ ଜଣେ ଶବ୍ଦର ଯାଦୁକର ତଥାପି ସେ ଜଣେ କର୍ମଠ ରାଜନେତା । ଯୁବ ବିଧାୟକ ହେବା ଦିନ ଠାରୁ ସେ ବିଧାନସଭା କାର୍ଯ୍ୟରେ ଯେଉଁ କଠୋରତା ଅବଲମ୍ବନ କରିଥିଲେ ଓ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରସଙ୍ଗ କହିଥିଲେ ସେଥିପାଇଁ ତାଙ୍କୁ ସମ୍ମାନ ମିଳିବା ଆରମ୍ଭ ହୋଇଥିଲା। ଏନଟିଆରଙ୍କ ଭଳି ମହାନ ରାଜନେତା ତାଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ ଏବଂ ଏପରିକି ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଚାହୁଁଥିଲେ; କିନ୍ତୁ ଭେଙ୍କେୟା ଗାରୁ ତାଙ୍କ ମୂଳ ଆଦର୍ଶରୁ ବିଚ୍ୟୁତ ହେବାକୁ ମନା କରିଦେଇଥିଲେ । ଆନ୍ଧ୍ରପ୍ରଦେଶରେ ବିଜେପିକୁ ସୁଦୃଢ଼ କରିବା, ଗାଁ ଗାଁ ବୁଲି ସବୁ ବର୍ଗର ଲୋକଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ବିଧାନସଭାରେ କଂଗ୍ରେସର ନେତୃତ୍ୱ ନେଇଥିଲେ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ମଧ୍ୟ ହୋଇଥିଲେ।
୧୯୯୦ ଦଶକରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଭେଙ୍କେୟା ଗାରୁଙ୍କ ପ୍ରୟାସକୁ ଗୁରୁତ୍ୱ ଦେଇଥିଲେ ଏବଂ ୧୯୯୩ ମସିହାରେ ସେ ଦଳର ସର୍ବଭାରତୀୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ । ଏହାପରେ ଜାତୀୟ ରାଜନୀତିରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଥିଲେ । କିଶୋରାବସ୍ଥାରେ ଅଟଳ ଜୀ ଏବଂ ଆଡଭାନୀଜୀଙ୍କ ଗସ୍ତ ଘୋଷଣା କରି ବୁଲୁଥିବା ଜଣେ ବ୍ୟକ୍ତିଙ୍କ ପାଇଁ ସେମାନଙ୍କ ସହ ସିଧାସଳଖ କାମ କରିବା ବାସ୍ତବରେ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଥିଲା । ସାଧାରଣ ସମ୍ପାଦକ ଭାବରେ ସେ ଆମ ଦଳକୁ କିପରି କ୍ଷମତାକୁ ଅଣାଯାଇ ପାରିବ ଏବଂ ଦେଶକୁ ପ୍ରଥମ ବିଜେପି ପ୍ରଧାନମନ୍ତ୍ରୀ ମିଳିପାରିବ ସେଥିପ୍ରତି ଧ୍ୟାନ ଦେଇଥିଲେ । ଦିଲ୍ଲୀ ଆସିବା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ ଏବଂ ସେ ଦଳର ରାଷ୍ଟ୍ରୀୟ ସଭାପତି ହୋଇଥିଲେ।

ଅଟଳଜୀ ୨୦୦୦ ମସିହାରେ ଭେଙ୍କେୟା ଗାରୁଙ୍କୁ ମନ୍ତ୍ରୀ ଭାବରେ ତାଙ୍କ ସରକାରରେ ସାମିଲ କରିବାକୁ ଇଚ୍ଛା ପ୍ରକଟ କରିଥିଲେ । ଭେଙ୍କେୟା ଗାରୁ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପାଇଁ ନିଜର ପସନ୍ଦ ଜଣାଇଥିଲେ । ଏହା ଅଟଳଜୀଙ୍କ ସମେତ ସମସ୍ତଙ୍କୁ ଚକିତ କରିଦେଇଥିଲା। ସର୍ବୋପରି, ଏଠାରେ ଜଣେ ନେତାଙ୍କୁ ପଚରାଯାଉଥିଲା ଯେ ସେ କେଉଁ ବିଭାଗ ଚାହୁଁଛନ୍ତି ଏବଂ ତାଙ୍କର ପ୍ରଥମ ପସନ୍ଦ ଥିଲା ଗ୍ରାମ୍ୟ ଉନ୍ନୟନ ! କିନ୍ତୁ, ଭେଙ୍କେୟା ଗାରୁ ତାଙ୍କର ନିଷ୍ପତ୍ତିରେ ସ୍ପଷ୍ଟ ଥିଲେ, କାରଣ ସେ ଜଣେ ଚାଷୀର ପୁଅ ଥିଲେ, ସେ ତାଙ୍କର ପ୍ରାରମ୍ଭିକ ଦିନଗୁଡ଼ିକ ଗ୍ରାମାଞ୍ଚଳରେ ବିତାଇଥିଲେ । ତେଣୁ, କୌଣସି କ୍ଷେତ୍ରରେ ସେ ଯଦି କାମ କରିବାକୁ ଚାହୁଁଥିଲେ, ତାହା ଥିଲା ଗ୍ରାମ୍ୟ ଉନ୍ନୟନ । ମନ୍ତ୍ରୀ ଭାବରେ ସେ ‘ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା’ର ପରିକଳ୍ପନା ଏବଂ କାର୍ଯ୍ୟକାରିତା ସହ ଘନିଷ୍ଠ ଭାବରେ ଜଡ଼ିତ ଥିଲେ । ଏହାର କିଛି ବର୍ଷ ପରେ ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିଥିଲା । ଏଥିରେ ସେ ନଗର ଉନ୍ନୟନ, ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ତାଙ୍କ କାର୍ଯ୍ୟକାଳରେ ହିଁ ଆମେ ସ୍ୱଚ୍ଛ ଭାରତ ମିଶନ ଏବଂ ନଗର ଉନ୍ନୟନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଥିଲୁ । ବୋଧହୁଏ ସେ ଏକମାତ୍ର ନେତା ଯିଏ ଏତେ ବ୍ୟାପକ ସମୟ ଧରି ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।

୨୦୧୪ ମସିହାରେ ଯେତେବେଳେ ମୁଁ ଦିଲ୍ଲୀ ଆସିଥିଲି, ସେତେବେଳେ ମୁଁ ଜାତୀୟ ରାଜଧାନୀରେ ବାହାର ଲୋକ ଥିଲି, ପୂର୍ବରୁ ଦେଢ଼ ଦଶନ୍ଧି ଧରି ଗୁଜରାଟରେ କାମ କରିଥିଲି। ଏଭଳି ସମୟରେ ଭେଙ୍କେୟା ଗାରୁଙ୍କ ବୁଝାମଣା ବେଶ୍ ସହାୟକ ହୋଇଥିଲା। ସେ ଜଣେ ପ୍ରଭାବଶାଳୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ – ସେ ଦ୍ୱିପାକ୍ଷିକ ବ୍ୟବସ୍ଥାର ସାରତତ୍ତ୍ୱ ଜାଣିଥିଲେ କିନ୍ତୁ ଏହା ସହିତ ସଂସଦୀୟ ବ୍ୟବସ୍ଥା ଓ ନିୟମାବଳୀର ସୀମାରେଖା ବିଷୟରେ ମଧ୍ୟ ଅବଗତ ଥିଲେ।
୨୦୧୭ରେ ଆମ ମେଣ୍ଟ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନିତ କରିଥିଲା। ଏହି ସମୟରେ ଆମେ ଏକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥିଲୁ – ଆମେ ଚିନ୍ତା କରିଥିଲୁ ଯେ ଭେଙ୍କେୟା ଗାରୁଙ୍କ ଭଳି ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କ ସ୍ଥାନ ପୂରଣ କରିବା କିପରି ସମ୍ଭବ ହେବ? କିନ୍ତୁ ତା’ସହିତ, ଆମେ ଏହା ମଧ୍ୟ ଜାଣିଥିଲୁ ଯେ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କଠାରୁ ଭଲ ପ୍ରାର୍ଥୀ ଆଉ କେହି ନାହାନ୍ତି । ମନ୍ତ୍ରୀ ଓ ସାଂସଦ ପଦରୁ ଇସ୍ତଫା ଦେବା ସମୟରେ ସେ ଦେଇଥିବା ଭାଷଣକୁ ମୁଁ କେବେ ବି ଭୁଲିପାରିବି ନାହିଁ। ଦଳ ସହିତ ତାଙ୍କର ସମ୍ପର୍କ ଏବଂ ଏହାକୁ ଗଢ଼ିବାର ପ୍ରୟାସକୁ ମନେ ପକାଇ ସେ ନିଜ ଲୁହକୁ ନିୟନ୍ତ୍ରଣ କରିପାରିନଥିଲେ । ଏଥିରେ ତାଙ୍କର ଗଭୀର ପ୍ରତିବଦ୍ଧତା ଓ ଉତ୍ସାହର ଝଲକ ଦେଖିବାକୁ ମିଳିଥିଲା।

ଉପରାଷ୍ଟ୍ରପତି ହେବା ପରେ ସେ ବିଭିନ୍ନ ପଦକ୍ଷେପ ନେଇଥିଲେ ଯାହା ତାଙ୍କ ପଦବୀର ମର୍ଯ୍ୟାଦା ମଧ୍ୟ ବଢ଼ାଇଥିଲା। ସେ ରାଜ୍ୟସଭାର ଜଣେ ଶ୍ରେଷ୍ଠ ଅଧ୍ୟକ୍ଷ ଭାବେ ଉଚ୍ଚସଦନର ପରିଚାଳନା କରିଥିଲେ, ଯାହା ଦ୍ୱାରା ଯୁବ ସାଂସଦ, ମହିଳା ସାଂସଦ ଏବଂ ପ୍ରଥମ ଥର ସାଂସଦମାନେ ଭାଷଣ ଦେବାର ସୁଯୋଗ ପାଇପାରିଥିଲେ । ସେ ସଦନରେ ଉପସ୍ଥିତି ଉପରେ ଗୁରୁତ୍ୱାରୋପ କରିଥିଲେ ଓ କମିଟିଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ସହ ଗୃହରେ ବିତର୍କର ସ୍ତର ମଧ୍ୟ ବଢ଼ାଇଥିଲେ। ଧାରା ୩୭୦ ଓ ୩୫(ଏ) ଉଚ୍ଛେଦ ନିଷ୍ପତ୍ତି ରାଜ୍ୟସଭାରେ ଆଗତ ହେବା ସମୟରେ ଭେଙ୍କେୟା ଗାରୁ ଅଧ୍ୟକ୍ଷ ଥିଲେ। ମୁଁ ନିଶ୍ଚିତ ଯେ ଏହା ତାଙ୍କ ପାଇଁ ଏକ ଭାବପ୍ରବଣ ପୂର୍ଣ୍ଣ ମୁହୂର୍ତ୍ତ ଥିଲା, କାରଣ ଯୁବକ ଅବସ୍ଥାରେ ସେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅଖଣ୍ଡ ଭାରତର ସ୍ୱପ୍ନ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଶେଷରେ ଏହା ହାସଲ ହେବା ସମୟରେ ଅଧ୍ୟକ୍ଷ ପଦବୀରେ ରହିଥିଲେ ।

ଭେଙ୍କେୟା ଗାରୁ କାର୍ଯ୍ୟ ଓ ରାଜନୀତି ବ୍ୟତୀତ ଜଣେ ପାଠକ ଓ ଲେଖକ ଭାବେ ମଧ୍ୟ ପରିଚିତ। ସେ ଏପରି ଜଣେ ବ୍ୟକ୍ତିତ୍ୱ ଯିଏକି ଗୌରବମୟ ତେଲୁଗୁ ସଂସ୍କୃତି ସହ ଦିଲ୍ଲୀବାସୀଙ୍କୁ ପରିଚୟ କରାଇଛନ୍ତି। ତାଙ୍କ ଉଗାଦି ଓ ସଂକ୍ରାନ୍ତି କାର୍ଯ୍ୟକ୍ରମ ସହରର ସବୁଠାରୁ ପ୍ରିୟ ସମାବେଶ ମଧ୍ୟରୁ ଅନ୍ୟତମ । ମୁଁ ସର୍ବଦା ଭେଙ୍କେୟା ଗାରୁଙ୍କୁ ଏମିତି ଜଣେ ବ୍ୟକ୍ତି ଭାବରେ ଜାଣିଛି ଯିଏ ଖାଦ୍ୟକୁ ଭଲ ପାଆନ୍ତି ଏବଂ ଲୋକମାନଙ୍କୁ ଆତିଥେୟ ମଧ୍ୟ ପ୍ରଦାନ କରନ୍ତି। କିନ୍ତୁ ନିକଟରେ ତାଙ୍କର ଆତ୍ମନିୟନ୍ତ୍ରଣ ମଧ୍ୟ ସମସ୍ତଙ୍କୁ ଦେଖିବାକୁ ମିଳିଛି । ସେ ଏବେ ଯେମିତି ବ୍ୟାଡମିଣ୍ଟନ ଖେଳୁଛନ୍ତି ଏବଂ ଦ୍ରୁତ ଗତିରେ ଚାଲିବାକୁ ଉପଭୋଗ କରୁଛନ୍ତି ସେଥିରେ ଫିଟନେସ୍ ପ୍ରତି ତାଙ୍କର ସଂକଳ୍ପବଦ୍ଧତା ଦେଖିବାକୁ ମିଳୁଛି।

ଉପରାଷ୍ଟ୍ରପତି ଦାୟିତ୍ୱ ନିର୍ବାହ କରିସାରିବା ପରେ ମଧ୍ୟ ଭେଙ୍କେୟା ଗାରୁ ସକ୍ରିୟ ଜନଜୀବନ ବିତାଉଛନ୍ତି। ଯେଉଁ ପ୍ରସଙ୍ଗକୁ ନେଇ ସେ ଆଗ୍ରହୀ ଅଛନ୍ତି କିମ୍ବା ସାରା ଦେଶରେ ଘଟୁଥିବା ବିଭିନ୍ନ ଘଟଣାକ୍ରମ ଉପରେ ସେ ମୋତେ ଫୋନ୍ କରି ପଚାରୁଛନ୍ତି। ଆମ ସରକାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ମୁଁ ନିକଟରେ ତାଙ୍କୁ ଭେଟିଥିଲି । ସେ ଖୁସି ହୋଇ ମୋତେ ଏବଂ ଆମ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ଏହି ମାଇଲଖୁଣ୍ଟ ପାଇଁ ମୁଁ ତାଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଉଛି । ମୁଁ ଆଶା କରୁଛି ଯୁବ କାର୍ଯ୍ୟକର୍ତ୍ତା, ନିର୍ବାଚିତ ପ୍ରତିନିଧି ଏବଂ ଯେଉଁମାନଙ୍କର ଜନସେବା କରିବାର ଉତ୍ସାହ ଅଛି ସେମାନେ ତାଙ୍କ ଜୀବନରୁ ଶିକ୍ଷା ଗ୍ରହଣ କରିବେ ଏବଂ ସେହି ମୂଲ୍ୟବୋଧକୁ ଗ୍ରହଣ କରିବେ । ତାଙ୍କ ଭଳି ଲୋକ ହିଁ ଆମ ଦେଶକୁ ଉନ୍ନତ ଓ ଜୀବନ୍ତ କରିଥାନ୍ତି ।

ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ

Leave a Reply

Your email address will not be published. Required fields are marked *