July 22, 2024

ପ୍ରିଭେସିକୁ କ୍ଷୁଣ୍ଣ କରିବ ନୂଆ ଆଇନ

1 min read

ନୂଆଦିଲ୍ଲୀ : ୨୦୨୩ରେ ପାର୍ଲାମେଣ୍ଟରେ ଗୃହୀତ ୩ ନୂଆ ଫୌଜଦାରୀ ଆଇନ ଜୁଲାଇ ପହିଲାରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ତେବେ ଉକ୍ତ ଆଇନଗୁଡ଼ିକରେ ରହିଥିବା ନିୟମ ନାଗରିକମାନଙ୍କ ପ୍ରିଭେସି ଏବଂ ବାକ୍‌ ସ୍ବାଧୀନତା ଭଳି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଇନ ବିଶାରଦମାନେ ମତ ଦେଉଛନ୍ତି। ଅପରାଧ ସଂହିତାର ବିଭିନ୍ନ ଦିଗକୁ ଏଥିରେ ଡିଜିଟାଇଜ୍‌ କରିବା ପାଇଁ ଉଦ୍ୟମ ହୋଇଛି। ସେହିପରି ଡିଜିଟାଲ ପ୍ରମାଣକୁ ସାକ୍ଷ୍ୟ ଆଇନ ଅଧୀନକୁ ଅଣାଯାଇଥିବାବେଳେ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟାଗତ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦିଆଯାଇ ନାହିଁ। ଆଇନରୁ ‘ରାଜଦ୍ରୋହ’ ଶବ୍ଦକୁ ହଟାଇ ଦିଆଯାଇଥିଲେ ମଧ୍ୟ ଅସ୍ପଷ୍ଟ ନିୟମରୁ ସେହି ଧାରଣା ବଳବତ୍ତର ରହିଛି। ଡିଜିଟାଲ ପ୍ରମାଣର ତଲାସି ଓ ଜବତ କରିବା ସମ୍ପର୍କିତ କାର୍ଯ୍ୟନିର୍ବାହୀ କ୍ଷମତାକୁ ମଧ୍ୟ ଏଥିରେ ପ୍ରଶସ୍ତ କରିଦିଆଯାଇଛି।
ନ୍ୟାୟ ସଂହିତା (ବିଏନ୍‌ଏସ୍‌)ରେ ଥିବା ରାଜଦ୍ରୋହକୁ ଅପରାଧ ତାଲିକାରୁ ବାଦ୍‌ ଦିଆଯାଇଛି। ଏହାକୁ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି)ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବୋଲି ସରକାର କହୁଛନ୍ତି। କାଗଜ କଲମରେ ଏହା ସତ ହୋଇଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ‘ସେଡିଶନ’ (ଆଇପିସି ଦଫା ୧୨୪ଏ) ଶବ୍ଦକୁ ହଟାଇ ବିଏନ୍‌ଏସ୍‌ରେ ଅଧିକ କାର୍ଯ୍ୟାନୁଷ୍ଠାନଯୋଗ୍ୟ ନିୟମ ଯୋଡ଼ିଛି। ତେବେ ନୂଆ ଆଇନରେ ଏହା ଅଧିକ ଅସ୍ପଷ୍ଟ ହୋଇଯାଇଛି। ବିଏନ୍‌ଏସ୍‌ରେ ଉଲ୍ଲେଖ କରାଯାଇଥିବା କ୍ଲଜ୍‌-୧୫୦ ଅନୁଯାୟୀ ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା କ୍ଷୁଣ୍ଣ କରିବା (ଇଲେକ୍ଟ୍ରୋନିକ୍‌ ଯୋଗାଯୋଗ ଜରିଆରେ) ଏକ ଅପରାଧ। ଏଥିରେ ସ୍ପଷ୍ଟତା ନ ଥିବାରୁ ଦେଶ ବିରୋଧରେ ସଶସ୍ତ୍ର ବିଦ୍ରୋହ, ବିଧ୍ୱଂସକାରୀ କାର୍ଯ୍ୟକଳାପ, ପୃଥକୀକରଣ ଓ ବିଚ୍ଛିନ୍ନତାବାଦରେ ଲିପ୍ତ ଥିବା ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି କାର୍ଯ୍ୟାନୁଷ୍ଠାନ ମୁକ୍ତ ଅଭିବ୍ୟକ୍ତି, ଅସନ୍ତୋଷର ସ୍ବର ଏବଂ ଗଣମାଧ୍ୟମର ସ୍ବାଧୀନତାକୁ କ୍ଷୁଣ୍ଣ କରିବ। ଇଲେକ୍ଟ୍ରୋନିକ୍‌ କମ୍ୟୁନିକେଶନକୁ ନୂଆ ଆଇନରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ବା ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁଯୋଗ ମିଳିଛି। ଟେଲିକମ୍ୟୁନିକେଶନ ବିଲ୍‌ ୨୦୨୩ ଅନୁଯାୟୀ ନୂଆ ଆଇନ ଅନ୍‌ଲାଇନ ଯୋଗାଯୋଗ ସେବା, ହ୍ବାଟ୍ସଆପ୍‌ ଭଳି ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବ। ଏଥିଯୋଗୁ ପ୍ରିଭେସି (ବ୍ୟକ୍ତିଗତ ଗୋପନୀୟତା) ସୁରକ୍ଷା ସକାଶେ ଆପଣାଯାଉଥିବା ଏଣ୍ଡ୍‌ ଟୁ ଏଣ୍ଡ୍‌ ଏନ୍‌କ୍ରିପ୍‌ଶନ ଉପରେ କମ୍ପାନୀର କର୍ତ୍ତୃତ୍ୱ ରହିବ ନାହିଁ। ୟୁଜର୍ସଙ୍କ ମ୍ୟାସେଜ୍‌କୁ ନିୟନ୍ତ୍ରଣ, ବନ୍ଦ ଓ ପ୍ରଘଟ କରିବା ପାଇଁ କମ୍ପାନୀଗୁଡ଼ିକ ବାଧ୍ୟ ହେବେ, ଯାହାକି ସେଡିଶନ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ ବୋଲି କୁହାଯାଉଛି।
ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ଧାରା ୯୪ ଅନୁସାରେ କୋର୍ଟ ଡିଜିଟାଲ ଏଭିଡେନ୍ସ ସମେତ କୌଣସି ପ୍ରକାର ଦସ୍ତାବିଜ୍‌ ବା ସାମଗ୍ରୀକୁ ତଦନ୍ତ ପାଇଁ ପ୍ରମାଣ ଭାବେ ମଗାଇପାରିବେ। ଏଭଳି ପ୍ରମାଣ ରଖିତ୍ଥିବା ବ୍ୟକ୍ତି ମାମଲାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ନ ଥିଲେ ମଧ୍ୟ ତାଙ୍କ ତଲାସୀ ନିଆଯାଇପାରିବ। ତାଙ୍କଠାରୁ ଉକ୍ତ ପ୍ରମାଣକୁ ଜବତ ମଧ୍ୟ କରାଯାଇପାରିବ। ଏପରି ହେଲେ ଜଣେ ବ୍ୟକ୍ତିଙ୍କଠାରୁ ତାଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ୍‌, ଲାପ୍‌ଟପ ଓ କମ୍ପ୍ୟୁଟରକୁ ପ୍ରମାଣ ଭାବେ ଜବତ କରାଯାଇପାରିବ। ଏଜେନ୍ସିଗୁଡ଼ିକ ଏଭଳି ଇଲେକ୍ଟ୍ରୋନିକ ଉପକରଣକୁ ଯାଞ୍ଚ କରି ୟୁଜର୍ସଙ୍କ ଗୋପନୀୟ ତଥ୍ୟ ଦେଖିପାରିବେ। ସାକ୍ଷ୍ୟ ଅଧିନିୟମ ଏବଂ ବିଏନ୍‌ଏସ୍‌ଏସ୍‌ ଅଧୀନରେ ଡିଜିଟାଲ ରେକର୍ଡକୁ ଅନ୍ତର୍ଭୁକ୍ତ କରାଯିବା ଦ୍ୱାରା ପ୍ରିଭେସି ଉପରେ ଆକ୍ରମଣ ବଢ଼ିବ। ସାକ୍ଷ୍ୟ ଅଧିନିୟମର ଏକ ଧାରା ଅନୁଯାୟୀ ଜଣେ ପୋଲିସ ଅଫିସର ବିନା କୌଣସି ଲିଖିତ ନିର୍ଦ୍ଦେଶନାମାରେ ଡିଜିଟାଲ ଉପକରଣଗୁଡ଼ିକର ତଲାସି ନେଇପାରିବେ। ଏହାଦ୍ୱାରା ପ୍ରିଭେସିରେ ପୋଲିସର ହସ୍ତକ୍ଷେପ ଅଇନତଃ ବୈଧତା ଲାଭ କରିବ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *