May 22, 2025

ଲୋକପ୍ରିୟ ଭିଡିଓ କନ୍‌ଫରେନ୍ସିଂ ପ୍ଲାଟଫର୍ମ ସ୍କାଇପ୍‌ ଆପ୍ଲିକେଶନ ସୋମବାରଠାରୁ ବନ୍ଦ ହୋଇଛି

1 min read

ଓ୍ବାଶିଂଟନ: ଲୋକପ୍ରିୟ ଭିଡିଓ କନ୍‌ଫରେନ୍ସିଂ ପ୍ଲାଟଫର୍ମ ସ୍କାଇପ୍‌ ଆପ୍ଲିକେଶନ ସୋମବାରଠାରୁ ବନ୍ଦ ହୋଇଛି। ପ୍ରାୟ ୨ ଦଶନ୍ଧି ଧରି ଲୋକଙ୍କୁ ଯୋଡ଼ି ରଖିଥିବା ଏହି ଆପ୍‌ ଏବେ ଇତିହାସରେ ପରିଣତ ହୋଇଛି। ନିଜର ନୂତନ ଏବଂ ଅଧିକ ଶକ୍ତିଶାଳୀ କମ୍ୟୁନିକେଶନ ଟୁଲ୍ସ ‘ମାଇକ୍ରୋସଫ୍ଟ ଟିମ୍ସ’ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖି ମାଇକ୍ରୋସଫ୍ଟ ସ୍କାଇପ୍‌ ସେବାକୁ ବନ୍ଦ କରିଛି। ମାଇକ୍ରୋସଫ୍ଟ ପକ୍ଷରୁ ‘ମାଇକ୍ରୋସଫ୍ଟ ଟିମ’୍ସକୁ ସ୍କାଇପର ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଛି। ଏହା ସହ ମାଇକ୍ରୋସଫ୍ଟ ମାଲିକାନାରେ ଥିବା ସ୍କାଇପ୍‌ ଆପ୍‌ ମାଇକ୍ରୋସଫ୍ଟ ଟିମ୍ସ ସହ ସମନ୍ବିତ ହୋଇଛି। ସ୍କାଇପ୍‌ ବନ୍ଦ ହେବା ପରେ ଯେପରି ଏହାର ୟୁଜର୍ସମାନେ ଅସୁବିଧାର ସମ୍ମୁଖୀନ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସ୍କାଇପ୍‌ରୁ ମାଇକ୍ରୋସଫ୍ଟ ଟିମ୍ସକୁ ସ୍ଥାନାନ୍ତରିତ ହେବା ପାଇଁ ସେମାନଙ୍କୁ ବହୁ ପୂର୍ବରୁ ମାଇକ୍ରୋସଫ୍ଟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ମାଇକ୍ରୋସଫ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସ୍କାଇପ୍‌ ବ୍ୟବହାରକାରୀଙ୍କ ନିକଟରେ ମାଗଣାରେ ମାଇକ୍ରୋସଫ୍ଟ ଟିମ୍ସକୁ ଯିବା ପାଇଁ ବିକଳ୍ପ ରହିଛି ଯାହା ସ୍କାଇପ୍‌ ଆପ୍‌ଠାରୁ ଅଧିକ ଭଲ ଫିଚର ପ୍ରଦାନ କରିବ। ୨୦୦୩ରେ ସ୍କାଇପ୍‌ ଆପ୍ଲିକେଶନ ଲଞ୍ଚ୍‌ ହୋଇଥିଲା। ଏହା ଏକ ସ୍ବତନ୍ତ୍ର କମ୍ପାନୀ ଭାବେ ଆରମ୍ଭ ହୋଇଥିଲା।