May 22, 2025

ଜୁନ ୩ରୁ ଅଗସ୍ତିନୂଆଗାଁରେ ଠାକୁରାଣୀ ଯାତ୍ରା

1 min read

ଛତ୍ରପୁର: ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ରେ ବୁଢ଼ୀ ମାଆ ଠାକୁରାଣୀଙ୍କ ଯାତ୍ରା ହୁଏ l ଚଳିତ ବର୍ଷ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଗ୍ରାମ୍ୟ କମିଟି ସଭାପତି ରଜତ କୁମାର ନାୟକଙ୍କ ସଭାପତିତ୍ୱରେ ଗ୍ରାମ୍ୟ କମିଟି ଓ ଗ୍ରାମବାସୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ବୈଠକରେ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ହେଲା ପରେ ଆସନ୍ତା ୯ ଅର୍ଥାତ ମେ’୯ରେ ଗ୍ରାମକୁ ମାଆଙ୍କ ବାନା ଆସି ଶୁଭଖୁଣ୍ଟି ସ୍ଥାପନ ହେବ ଓ ଜୁନ ୩ରେ ଗ୍ରାମକୁ ମାଆଙ୍କ ହାଣ୍ଡି ଆସିବ ଅର୍ଥାତ ମାଆ ଆସି ଅସ୍ଥାୟୀ ମଣ୍ଡପରେ ବିଦ୍ୟମାନ ହେବେ। ଜୁନ ୧୮ ତାରିଖରେ ଗ୍ରାମ ଭ୍ରମଣ କରି ଜାତୀୟ ରାଜପଥ କଡ଼ରେ ଥିବା ମାଆଙ୍କ ସ୍ଥାୟୀ ମନ୍ଦିରକୁ ଫେରିଯିବେ l ମାଆଙ୍କ ଆଗମନରେ ରଜ ତିନିଦିନ ବ୍ୟତୀତ ଜୁନ ୩ ତାରିଖରୁ ଜୁନ ୧୬ ତାରିଖ ପଯ୍ୟନ୍ତ ପ୍ରତ୍ୟେକ ଦିନ ମାଆ ଗ୍ରାମ ସାଜସଜ୍ଜା ସାଙ୍ଗକୁ ବାଘ ନାଚ, ଶଙ୍ଖମହୁରୀ, ଧୁମଧଡ଼କା, ଡିଜେ, ଅଘୋରି ବିଭିନ୍ନ ସାଂସ୍କୃତିକ ନାଚ ପଟୁଆର ମଧ୍ୟରେ ଗ୍ରାମ ଭ୍ରମଣ କରିବେ l ଜୁନ ୧୭ ତାରିଖରେ ମାଆଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଦୁଇ ଗୋଟି ରାମାୟଣ ନାଚ ୨୪ ଘଣ୍ଟା ପାଇଁ ପରିବେଷଣ କରାଯିବା ସାଙ୍ଗକୁ ଜନସାଧାରଣଙ୍କ ପାଇଁ ରାମଦୋଳି , ମୀନାବଜାରର ଆୟୋଜନ କରାଯିବ ବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି l ତାହସହିତ ଯାତ୍ରାରେ ଶାନ୍ତି ଶୃଙ୍ଖଳା ଓ ଗ୍ରାମର ସୁରକ୍ଷା ନିମନ୍ତେ ଜିଲାପ୍ରଶାସନ ଓ ପୋଲିସ ପ୍ରଶାସନଙ୍କ ଅନୁମତି ଓ ସାହାଯ୍ୟ ମଗାଯିବାକୁ ବୈଠକରେ ସ୍ଥିର ହୋଇଛି l ଉକ୍ତ ବୈଠକରେ ଗ୍ରାମ୍ୟ କମିଟିର ଉପଦେଷ୍ଟା, ସମ୍ପାଦକଙ୍କ ସମେତ ବହୁମାତ୍ରାରେ ଗ୍ରାମବାସୀ ଉପସ୍ଥିତ ଥିଲେ l