October 27, 2024

ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୂର୍ବରୁ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ

1 min read

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୂର୍ବରୁ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ। ଏହାଦ୍ବାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି।

ଗୁରୁବାର ଗଣମାଧ୍ୟମକୁ ସେ କହିଛନ୍ତି ସ୍ଲଟ୍ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ଶ୍ରଦ୍ଧାଳୁଙ୍କୁ ଆଉ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସ୍ଲଟ୍ ବୁକିଂ କରିଥିବା ଲୋକେ ଅଭ୍ୟର୍ଥନା ପ୍ରକୋଷ୍ଠରେ ଅପେକ୍ଷା କରିବେ। ଦର୍ଶନ ପାଇଁ ସେମାନଙ୍କୁ ଆଗୁଆ ଦିଆଯାଇଥିବା ସମୟ ଆସିଲେ ଭିତରକୁ ଛଡ଼ାଯିବ। ଏଥିପାଇଁ ଆଗ୍ରହୀ ବ୍ୟକ୍ତି ନିଜ ମୋବାଇଲ ଫୋନରେ ସ୍ଲଟ୍ ବୁକିଂ କରିପାରିବେ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଗଠନ କରିଥିବା ୫ ଶହ କୋଟିର କର୍ପସ୍ ପାଣ୍ଠି ଯଥେଷ୍ଟ ନୁହେଁ ବୋଲି ଗଜପତି ମହାରାଜ କହିଛନ୍ତି। କର୍ପସ ପାଣ୍ଠି ପରିମାଣ ବୃଦ୍ଧି କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେ କହିଲେ ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରତ୍ୟେକ ଦିନ ଯେତିକି ଆୟ ହେଉଛି ତାହା ଦୈନନ୍ଦିନ ଖର୍ଚ୍ଚ ଭରଣା ପାଇଁଯଥେଷ୍ଟ ନୁହେଁ। ତେଣୁ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ଉପରେ ନିର୍ଭର କରିବାକୁ ପଡ଼ୁଛି। ମହାପ୍ରଭୁଙ୍କ ନାମରେ ରାଜ୍ୟ ଏବଂ ରାଜ୍ୟ ବାହାରେ ରହିଥିବା ବିବାଦମୁକ୍ତ ଭୂସମ୍ପତ୍ତିଗୁଡିକୁ ବିକ୍ରି କରାଯାଇ ଏହି ଅର୍ଥ କର୍ପସ ପାଣ୍ଠିରେ ଜମା ରଖାଯିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମହାପ୍ରଭୁଙ୍କ ସେବାପୂଜା ପାଇଁ ସରକାରଙ୍କ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *