July 27, 2024

ଡାକ୍ତରମାନଙ୍କ ପାଇଁ ଓସାକ୍ସର ଆଂଚଳିକ ସ୍ତରୀୟ ଦିନିିକିଆ କର୍ମଶାଳା

1 min read

ଭୁବନେଶ୍ୱର : (ସ୍ଵପ୍ର) : ଏଚ.ଆଇ.ଭି ଏଡସ୍ ଅଧିନିୟମ-୨୦୧୭ ଅନୁଯାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଏଚ.ଆଇ.ଭି ସଂକ୍ରମିତଙ୍କର ଅଧିକାର ସୁରକ୍ଷା ଓ ସେମାନଙ୍କ ପାଇଁ ଘୃଣା ଭେଦଭାବ ଶୂନ୍ୟ ସୁସ୍ଥ ବାତାବରଣ ସୃଷ୍ଟି କରି ମୁଖ୍ୟସ୍ରୋତକୁ ଆଣିବା କ୍ଷେତ୍ରରେ ଅଭିଯୋଗ ଶୁଣାଣୀ ଅଧିକାରୀ ମାନଙ୍କର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି (ଓସାକ୍ସ) ର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ କହିଛନ୍ତି ।
ଆଜି ସ୍ଥାନୀୟ ଏକ ହୋଟେଲରେ ଓସାକ୍ସ ଦ୍ୱାରା ଅନୁଷ୍ଠିତ ଆଂଚଳିକ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ଅଭିଯୋଗ ଶୁଣାଣୀ ଅଧିକାରୀ ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିରର ଉଦଘାଟନ କରି ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ଏହା କହିଛନ୍ତି । ସେ କହିଥିଲେ ଯେ, ଏଚ.ଆଇ.ଭି/ ଏଡସ୍ ପ୍ରତିରୋଧ ଏବଂ ନିୟନ୍ତ୍ରଣ ଓ ସଂକ୍ରମିତ ବ୍ୟକ୍ତିମାନଙ୍କ ଅଧିକାର ସୁରକ୍ଷା ପାଇଁ ୧୦ ସେପେ୍‌ଟମ୍ବର ୨୦୧୮ରେ ଏଚ.ଆଇ.ଭି. ଏବଂ ଏଡସ୍ (ପ୍ରତିରୋଧ ଏବଂ ନିୟନ୍ତ୍ରଣ) ଅଧିନିୟମ- ୨୦୧୭ରେ ଲାଗୁ କରାଯାଇଛି । ଏହି ଅଧିନିୟମ ଧାରା ୨୧ ଅନୁସାରେ ୨୦ ରୁ ଅଧିକ କର୍ମଚାରୀ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ସେହି ଜିଲାର ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ ପିଏଚଓ) ଙ୍କ ନିର୍ଦ୍ଦେଶରେ ଜଣେ ବରିଷ୍ଠ ଅଧିକାରୀଙ୍କୁ କଂପ୍ଲେଂଟ ଅଫିସର (ଅଭିଯୋଗ ଶୁଣାଣୀ ଅଧିକାରୀ) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ବର୍ତମାନସୁଦ୍ଧା ଆମ ରାଜ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ୩୫୦ଜଣ ଏହି ଅତିରିକ୍ତ ଦାୟିତ୍ୱ ସୁଚାରୁ ରୂପେ ନିର୍ବହନ କରୁଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ସଂକ୍ରମିତ ବ୍ୟକ୍ତିଙ୍କର ଯଦି କୌଣସି ଅଭିଯୋଗ ଆସିଥାଏ ତେବେ କଂପ୍ଲେଂଟ ଅଫିସର ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନେବାର ପ୍ରାବଧାନ ରହିଛି ।
ଏହି ଅବସରରେ ବିଭିନ୍ନ ଡାକ୍ତରଖାନାରୁ ଆସିଥିବା ବରିଷ୍ଠ ଡାକ୍ତରମାନେ କହିଥିଲେ ଯେ ଅନେକ କ୍ଷେତ୍ରରେ ଡାକ୍ତରମାନଙ୍କ ଭିତରେ ଥିବା ଭୟ ଯୋଗୁ ଏଚ.ଆଇ.ଭି. ସଂକ୍ରମିତ ବ୍ୟକ୍ତିମାନେ ଖାସକରି ଅସ୍ତ୍ରୋପ୍ରଚାର କ୍ଷେତ୍ରରେ ଡାକ୍ତରଖାନାରେ ଅବହେଳିତ ହେଉଛନ୍ତି । ଭୟ ନକରି ପ୍ରାକ ସାବଧାନତା ସରଂଜାମ ବ୍ୟବହାର କରି ଜଣେ ସଂକ୍ରମିତ ବ୍ୟକ୍ତିର ଅସ୍ତ୍ରୋପ୍ରଚାର ଡାକ୍ତରମାନେ କରିବାକୁ ସେ ଆହ୍ୱାନ ଦେଇଥିଲେ । ଉପସ୍ଥିତ ଅନ୍ୟ ଡାକ୍ତରମାନଙ୍କ ଉଦ୍ଦେଶ୍ୟରେ ସେମାନେ କହିଥିଲେ ଯେ ସମସ୍ତଙ୍କ ପାଇଁ ସମାନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଡାକ୍ତରମାନଙ୍କର ଧର୍ମ । ତେଣୁ ଯେପରି କୌଣସି କ୍ଷେତ୍ରରେ ଜଣେ ସଂକ୍ରମିତ ବ୍ୟକ୍ତି ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ନହୁଏ ସେଥିପ୍ରତି ଆମେ ସମସ୍ତେ ସଚେତନ ହେବା ଉଚିତ । ଅଭିଯୋଗ ବ୍ୟବସ୍ଥା ଥିବାରୁ ସବୁ ଅଭିଯୋଗ ଶୁଣାଣୀ ଅଧିକାରୀ ମାନେ ସେମାନଙ୍କ ଦାୟିତ୍ୱ ସଠିକ ଭାବେ ସମ୍ପନ୍ନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଓସାକ୍ସର ସହ ନିର୍ଦ୍ଦେଶକ ଇଂ ଅଜୟ କୁମାର ପାତ୍ର ଏଚ.ଆଇ.ଭି./ ଏଡସ୍ ର ମୌଳିକ ତଥ୍ୟ ଉପରେ ସବିଶେଷ ଧାରଣା ପ୍ରଦାନ କରିଥିଲେ । ଏଥିସହ ଡାକ୍ତରଖାନାମାନଙ୍କରେ ଏଚ.ଆଇ.ଭି ସଂକ୍ରମିତ ବ୍ୟକ୍ତି ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ନେଇ ଅଭିଯୋଗ ଶୁଣାଣୀ ଅଧିକାରୀମାନଙ୍କ ଦାୟିତ୍ୱ ଏବଂ ଏଚ.ଆଇ.ଭି./ ଏଡସ୍ ଅଧିନିୟମ-୨୦୧୭ ଉପରେ ବିସ୍ତୃତ ଧାରଣା ଦେଇଥିଲେ । ଏଚ.ଆଇ.ଭି ସଂକ୍ରମିତମାନଙ୍କର ରାଜ୍ୟ ସ୍ତରୀୟ ସଂଗଠନ କେଏନପି ପ୍ଲସର ସଭାପତି ପ୍ରଭାସିନି ପ୍ରଧାନ କିପରି ସଂକ୍ରମିତ ହେଲେ ତାଙ୍କର ଅନଭୂତି ରଖିଥିଲେ । କାର୍ଯ୍ୟକ୍ରମରେ ଓସାକ୍ସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ପୁରୀ, ନୟାଗଡ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ପାଂଚଟି ଜିଲାରୁ ଅଭିଯୋଗ ଶୁଣାଣୀ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *