ବଙ୍ଗପୋସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ
1 min read
ଭୁବନେଶ୍ୱର :ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ କ୍ଷେତ୍ର। ଉତ୍ତର ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଉପକୂଳରେ କେନ୍ଦ୍ରିଭୂତ ହୋଇଥିବା ବେଳେ କ୍ରମଶଃ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ମୁହାଁ ହେବ । ୨ ଦିନ ଭିତରେ ଏହାର ଗତିପଥ ଜଣାପଡିବ । ତେବେ ସାମ୍ଭାବ୍ୟ
ଲଘୁଚାପଟି ଉତ୍ତର ପଶ୍ଚିମ ଦିଗକୁ ଗତି କରି ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ଆଡକୁ ମୁହାଁଇବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛି ଜିଲାରେ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ । ତେବେ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ।
ଅନ୍ୟପଟେ ରାଜ୍ୟରେ ମୌସୁମୀ ପ୍ରଭାବରେ କେତେକ ଜିଲ୍ଲାରେ ଜାରି ରହିଛି ବର୍ଷ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ
ଶୁକ୍ରବାର ପାଇଁ ୨୨ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହି ଜିଲାଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଯାଜପୁର, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲା ରହିଛି। ସେଥିମଧ୍ୟରୁ ୧୦ ଜିଲା ବରଗଡ଼, ସମ୍ବଲପୁର, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା,
ଢେଙ୍କାନାଳ, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏସବୁ ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ୧୨ରୁ ୨୦ ସେମି ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ୟେଲୋ ୱାର୍ନିଂ ଜାରି ହୋଇଥିବା ଅନ୍ୟ ୧୨ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ପ୍ରବଳ ବର୍ଷା ନେଇ ୨୭ ତାରିଖରେ ୭ ଜିଲା, ୨୮ ତାରିଖରେ ୫ ଜିଲା ଏବଂ ୨୯ ତାରିଖରେ ୫ ଜିଲାକୁ ୟେଲୋ ୱାର୍ର୍ନିିଂ ଜାରି ହୋଇଛି।