July 27, 2024

ଯୁବବର୍ଗଙ୍କ ସୁସ୍ଥ ଜୀବନଚର୍ଯ୍ୟାରେ ରେଡ ରିବନ କ୍ଲବ କାଉନସେଲର (ଅଧ୍ୟାପକ)ମାନଙ୍କର ରହିଛି ଗୁରୁଦାୟିତ୍ୱ : ଡାକ୍ତର ସନ୍ତୋଷ ସ୍ୱାଇଁ

1 min read

ଭୁବନେଶ୍ୱର,୧୪/୨(ନି.ପ୍ର) : ଏଚ.ଆଇ.ଭି/ ଏଡସ୍ ସଂକ୍ରମଣ ନିୟନ୍ତ୍ରଣ ଏବଂ ଯୁବବର୍ଗଙ୍କୁ ସୁସ୍ଥ ଜୀବନ ଯାପନ କରିବାକୁ ପ୍ରବର୍ତାଇବା ପାଇଁ ରେଡ ରିବନ କ୍ଲବର କାଉନସେଲର (ଅଧ୍ୟାପକ) ମାନଙ୍କର ଗୁରୁଦାୟିତ୍ୱ ରହିଛି । ଓସାକ୍ସ ଦ୍ୱାରା ଆୟୋଜିତ ଏହି ଏକ ଦିବସୀୟ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେଇ ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ଏହା କହିଛନ୍ତି । ସେ କହିଛନ୍ତି ଯେ ୨୦୩୦ ସୁଦ୍ଧା ଏଚ.ଆଇ.ଭି./ ଏଡସ୍ କୁ ସମାପ୍ତ କରିବାର ମିଳିତ ଜାତିସଂଘର ଲକ୍ଷ୍ୟ ହାସଲ କରିବାରେ ରେଡକ୍ରସ ସହଯୋଗରେ ଓସାକ୍ସ ଦ୍ୱାରା ବର୍ତମାନ ରାଜ୍ୟର ବିଭିନ୍ନ କଲେଜରେ ୬୪୦ ରେଡ ରିବନ କ୍ଲବ ଖୋଲାଯାଇଛି । ରେଡ ରିବନ କ୍ଲବ ଜରିଆରେ ଏଚ.ଆଇ.ଭି ସଂକ୍ରମଣ ନେଇ ସଚେତନତା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ମଧ୍ୟ ବେଶ୍ ପ୍ରଶଂସନୀୟ । ଏଥି ।ଇଁ ରେଡ ରିବନ କ୍ଲବ କାଉନସେଲରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଯାହାଙ୍କର ସୁଶିକ୍ଷା ଉଚିତ ମାର୍ଗ ପ୍ରଦର୍ଶନ ଓ ପ୍ରୋତ୍ସାହନରେ ଯୁବ ବୟସରେ ପଦାର୍ପଣ କରିଥିବା ଏହି ପିଲାମାନେ ସଠିକ ମାର୍ଗକୁ ବାଛିନେବାରେ ବ୍ରତି ହୋଇଛନ୍ତି । ଏହାକୁ ଆହୁରୀ ତୀବ୍ର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ ସୋସାଇଟି ସଚିବ ବିଭୂତି ଭୂଷଣ ପଟନାୟକ କହିଥିଲେ ଯେ ସବୁ କ୍ଷେତ୍ରରେ ଯୁବଗୋଷ୍ଠି ସର୍ବାଗ୍ରେ ରହିଥାନ୍ତି । ସେ ସ୍ୱତନ୍ତ୍ରତା ହେଉ ବା ବିକାଶ କ୍ଷେତ୍ରରେ ହେଉ ସବୁ କ୍ଷେତ୍ରରେ ଯୁବଗୋଷ୍ଠିଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୁର୍ଣ ଏବଂ ପ୍ରଶଂସନୀୟ । ଏଚ.ଆଇ.ଭି ସଂକ୍ରମଣ କ୍ଷେତ୍ରରେ ଯୁବବର୍ଗମାନେ ଅଧିକ ବିପଦସଂଙ୍କୁଳ ହୋଇଥିବାରୁ ଯୁବବର୍ଗଙ୍କୁ ସଠିକ ମାର୍ଗ ପ୍ରଦର୍ଶନ କରିବା କ୍ଷେତ୍ରରେ ରେଡ ରିବନ କ୍ଲବର କାଉନସେଲର ବା ଯୁବ ରେଡକ୍ରସ କାଉନସେଲରମାନଙ୍କର ଭୂମିକା ସର୍ବଦା ଗୁରୁତ୍ୱପୁର୍ଣ ରହିଛି । ଓସାକ୍ସ ଏବଂ ରେଡକ୍ରସ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ଅଗ୍ରସର ହେଉଛନ୍ତି । ଯୁବବର୍ଗଙ୍କୁ ଏଚ.ଆଇ.ଭି ସଂକ୍ରମଣଠାରୁ ଦୂରରେ ରଖିବା ପାଇଁ ଏହିଭଳି କାର୍ଯ୍ୟକ୍ରମ ଏବଂ କଲେଜ ସ୍ତରରେ ଅଧ୍ୟାପକମାନଙ୍କର ପ୍ରଚେଷ୍ଟା ନିଶ୍ଚୟ ଲାଭପ୍ରଦ ହେବ । ଏହି ଅବସରରେ ଯୁବ ରେଡକ୍ରସ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ କାଉନସେଲରମାନଙ୍କୁ ଯୁବଗୋଷ୍ଠିଙ୍କୁ ସଚେତନ କରିବା ସହିତ ସେମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲାରୁ ୮୦ରୁ ଅଧିକ ରେଡ ରିବନ କ୍ଲବର କାଉନସେଲର (ଅଧ୍ୟାପକ) ଯୋଗ ଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ରେଡକ୍ରସ ଅଧିକାରୀ ଲଖମଣ ସ୍ୱାଇଁ, ଯୁବ ରେଡକ୍ରସର ରାଜ୍ୟ କୋଅର୍ଡିନେଟର ଗୋପାଳକୃଷ୍ଣ ମିଶ୍ର ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ କିଭଳି ଅଧିକ ତ୍ୱରାନ୍ୱିତ କରିହେବ ସେ ନେଇ ଆଲୋକପାତ କରିଥିଲେ । ଓସାକ୍ସର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଡି.ଏସ. ଅରବିନ୍ଦ, ଅତିରିକ୍ତ ନିର୍ଦ୍ଦେଶକ ଇଂ ଅଜୟ କୁମାର ପାତ୍ର, ଅତିରିକ୍ତ ନିର୍ଦ୍ଦେଶକ ସ୍ମୃତି ସାଗରୀକା କାନୁନଗୋ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ରାଜ୍ୟରେ ଏଚ.ଆଇ.ଭି ର ସ୍ଥିତି, ଏଚ.ଆଇ.ଭି ଅଧିନିୟମ, ରେଡ ରିବନ କ୍ଲବର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବିଷୟରେ ସବିଶେଷ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *