October 23, 2024

୨୨ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

1 min read

ପୁରୀ : ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଚଳିତ ମାସ ୨୨ରେ ଅନୁଷ୍ଠିତ ହେବ। ତେଣୁ ୨୦ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୈଠକ ଶୁକ୍ରବାର ସ୍ବତନ୍ତ୍ର ସର୍କିଟ୍‌ ହାଉସରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ସେଥିରେ ସ୍ଥିର କରାଯାଇଛି। ପୌରାଞ୍ଚଳର ରାସ୍ତା ମରାମତି, ନଳା ସଫା, ଆଲୋକ ଓ ପାନୀୟ ଜଳ ଯୋଗାଣ, ଗହଳି ନିୟନ୍ତ୍ରଣ, ସୁରକ୍ଷା, ପରିମଳ, ଗାଡ଼ି ପାର୍କିଂ, ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ସ୍ନାନବେଦୀ ଉପରେ ପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ଆକର୍ଷଣୀୟ ଗଜାନନ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରିବାକୁ ବୈଠକରେ ନିର୍ଦେଶ ଦିଆଯାଇଛି। ପ୍ରସ୍ତୁତି କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବାକୁ କିଛି ବରିଷ୍ଠ ଅଧିକାରୀଙ୍କୁ ଜିଲାପାଳ ଶ୍ରୀ ସ୍ବାଇଁ ନିର୍ଦେଶ ଦେଇଛନ୍ତି। ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଥିଲେ ସବୁ ବିଭାଗ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହିଲେ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇପାରିବ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ (ପ୍ରୋଟକଲ) ନୀଳମାଧବ ଭୋଇ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଏସ୍‌ପି ବିଷ୍ଣୁଚରଣ ପତି ଓ ସୁଶୀଲ କୁମାର ମିଶ୍ର, ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ରଶ୍ମିରଞ୍ଜନ ସାହୁ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସିଂହଦ୍ବାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *