ବୁଧବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ପୁଣେର ଏକ କାଠ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ
1 min read
ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ପୁଣେର ଏକ କାଠ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ଜୟ ବଲ୍ଲଭ ସ୍କୁଲ ନିକଟରେ କାଠ ସାମଗ୍ରୀ ବିକ୍ରି ହେଉଥିବା ଏକ ଦୋକାନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ନିଆଁ ଖୁବ୍ ଶୀଘ୍ର ନିକଟରେ ଥିବା ଦେକାନ ଗୁଡିକୁ ବ୍ୟାପି ଯାଇଥିଲା। ନିଆଁ ଲାଗି ପ୍ରାୟ ୫୦ରୁ ୬୦ ଦେକାନ ଜଳିପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି।
ପରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୁଣେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ଚାରିପାଖରୁ ପାଣି ସିଞ୍ଚନ କରି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ନିକଟବର୍ତ୍ତୀ ଆବାସିକ ଅଞ୍ଚଳ ଏବଂ ଘରଗୁଡ଼ିକୁ ନିଆଁ ବ୍ୟାପିବାକୁ ରୋକିବା ପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯାଇଥିଲା। ଦୀର୍ଘ ଦୁଇ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କେହି ଆହତ ହୋଇଥିବାର ସୂଚନା ମିଳିନାହିଁ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୂର୍ବରୁ ମହାରାଷ୍ଟ୍ରର ବୀଡ ସହରର ଧନୋରା ରୋଡରେ ଥିବା ଅବକାରୀ ବିଭାଗ କାର୍ଯ୍ୟାଳୟର ପାର୍କିଂରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ପାଞ୍ଚଟି ଚାରିଚକିଆ ଏବଂ ଅନେକ ଦୁଇଚକିଆ ଯାନ ଜଳିପୋଡି ପାଉଁଶ ହୋଇଯାଇଥିଲା।


