ବରିଷ୍ଠ ନେତା ଅଭିଷେକ ବାନାର୍ଜୀଙ୍କ ଘରକୁ ଯାଇ ପୁଲିସର ଖୋଳତାଡ଼ କରିଥିବା ଜଣାପଡ଼ିଛି
1 min read
କଲକାତା: ଶନିବାର ଭୋର୍ ସମୟରେ କଲକାତା ପୁଲିସ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ବରିଷ୍ଠ ନେତା ଅଭିଷେକ ବାନାର୍ଜୀଙ୍କ କାଳିଘାଟସ୍ଥିତି ଘରକୁ ଯାଇ ଖୋଳତାଡ଼ କରିଥିବା ଜଣାପଡ଼ିଛି। ଏ ନେଇ ଟିଏମ୍ସିର ଲୋକସଭା ସାଂସଦ ମହୁଆ ମୈତ୍ର ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସୂଚନା ପ୍ରଦାନ କରିଛନ୍ତି। ମହୁଆଙ୍କ ସୂଚନାନୁଯାୟୀ ଶନିବାର ଭୋର୍ ୫ଟାରେ କଲକାତା ପୁଲିସର ଏକ ଦଳ ଅଭିଷେକଙ୍କ ଘର ମଧ୍ୟକୁ ପ୍ରବେଶ କରିଥିଲା। ପୁଲିସ ଅଭିଷେକଙ୍କ ଘରେ ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ରହି ଖୋଳତାଡ଼ କରିଥିଲା। ତେବେ ଦୀର୍ଘସମୟର ଖୋଳତାଡ଼ ସତ୍ତ୍ବେ ଅଭିଷେକଙ୍କ ଘରୁ କୌଣସି ଆପତ୍ତିଜନକ ଦସ୍ତାବିଜ୍ ଜବତ କରିପାରିନଥିଲା। ବିଜେପି ନେତାଙ୍କ ପ୍ରରୋଚନରେ ପୁଲିସ ତରଫରୁ ଏହି ଖୋଳତାଡ଼ କରାଯାଇଥିବା ସେ ଅଭିଯୋଗ କରିଥିଲେ। ସେହିପରି ତୃଣମୂଳ କଂଗ୍ରେସର ସାଂସଦ ସାଗରିକା ଘୋଷ ମଧ୍ୟ ପୁଲିସର ଏହି ଖୋଳତାଡ଼କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇଛନ୍ତି। ଯେଉଁ ନେତାମାନେ ବିଜେପିର ଶରଣ ପଶିବାକୁ ରାଜି ହେଉ ନାହାନ୍ତି ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଥାଉ କି ଶନିବାର ଭୋର ସମୟରେ କଲକାତା ପୁଲିସ ସହ କେନ୍ଦ୍ରୀୟ ବାହିନୀ ମିଳିତ ଭାବେ ଅଭିଷେକଙ୍କ ବାସଭବନକୁ ଯାଇ ଖୋଳତାଡ଼ କରିଥିଲେ। ପଶ୍ଚିମ ମେଦିନୀପୁର ଥାନାରେ ହୋଇଥିବା ଏକ ଅଭିଯୋଗ ଆଧାରରେ ଏହି ଖୋଳତାଡ଼ କରାଯାଇଥିବା ଜଣାପଡ଼ିଛି।


