ନକଲି ବ୍ରିଗେଡିୟରକୁ ପୁଲିସ ଗିରଫ
1 min read
ଲକ୍ଷ୍ନୌ: ଗିରଫ ଯୁବକର ନାମ ଆର୍ୟନ ବର୍ମା ବୋଲି ଜଣାପଡ଼ିଛି। ବେଶ୍ କିଛିମାସ ହେବ ଆର୍ୟନ ନିଜକୁ ବ୍ରିଗେଡିୟର ବେଶରେ ସଜାଇ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ରଖିଥିଲା। ଉତ୍ତରପ୍ରଦେଶର ଶାହାଜାହାନପୁର୍ରୁ ଜଣେ ୨୧ବର୍ଷୀୟ ନକଲି ବ୍ରିଗେଡିୟରକୁ ପୁଲିସ ଗିରଫ କରିଛି। ସେମାନଙ୍କୁଏନଏସଜି କମାଣ୍ଡୋ ୟୁନିଫର୍ମ ପିନ୍ଧାଇଥିଲା। ନିଜ ଗାଡ଼ିରେ ‘ଡାକ୍ତର ଏବଂ ଆର୍ମି’ ଲେଖାଇବା ସହ ସେନାର ପତାକା ଲଗାଇ ଘୂରୁଥିଲା।ସୂଚନାନୁଯାୟୀ ଆର୍ୟନ ବର୍ମାଙ୍କ ବାପା ଉଦ୍ୟାନ ବିଭାଗରେ ଚାକିରି କରୁଥିବା ବେଳେ ମା’ ଜଣେ ସରକାରୀ ଶିକ୍ଷୟିତ୍ରୀ। ମା’ ଚାହୁଁଥିଲେ ପୁଅ ସେନା ଅଫିସର, ବାପା ଚାହୁଁଥିଲେ ସେ ଡାକ୍ତର ହେଉ। ଆର୍ୟନ ଦୁଇଥର ନିଟ୍ ପରୀକ୍ଷା ଦେଇଥିଲେ ମଧ୍ୟ ସଫଳ ହୋଇପାରିନଥିଲା।ତା’ପରେ ବାପା, ମା’ଙ୍କ ସ୍ୱପ୍ନ ପୂରଣ କରିବାକୁ ସେ ସେନାର ୟୁନିଫର୍ମ କିଣି ନିଜକୁ ବ୍ରିଗେଡିୟର ବୋଲି ପରିଚୟ ଦେବା ଆରମ୍ଭ କରିଥିଲା। ଆର୍ୟନଙ୍କ କାର୍ଯ୍ୟକଳାପ ଉପରେ କେତେକ ପୂର୍ବତନ ସେନା କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ସେମାନେ ସେନା ଅଧିକାରୀଙ୍କ ସହ ସହ ମିଶି ତାଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ଶୁକ୍ରବାର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆର୍ୟନ ବର୍ମାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସେ ପହଞ୍ଚିବା ମାତ୍ରେ ସେନା ଅଧିକାରୀମାନେ ତାଙ୍କୁ ସେନା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେବାରେ ସେ ହଡ଼ବଡ଼ି ଯାଇଥିଲା। ଶେଷରେ ସେ ନିଜ ଦୋଷ ସ୍ୱୀକାର କରିବା ସହ ସମ୍ପୂର୍ଣ୍ଣ କାହାଣୀ କହିଥିଲା। ଏହାପରେ ସେନା ପକ୍ଷରୁ ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।
ଶାହଜାହାନପୁର ସହରର ରୋଜା ଅଞ୍ଚଳର ବାସିନ୍ଦା ହେଉଛନ୍ତି ଆର୍ୟନ। ତାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ବେଶ୍ ସମ୍ପନ୍ନ। ଯୁକ୍ତ ଦୁଇ ପାସ୍ କରିବା ପରେ ମାତାପିତା ଆର୍ୟନଙ୍କୁ ଡାକ୍ତର ହେବା ପାଇଁ ନିଟ୍ ପ୍ରସ୍ତୁତି କରିବାକୁ ଦିଲ୍ଲୀ ପଠାଇଥିଲେ। ସେଠାରେ ସେ ଦୁଇ ବର୍ଷ ଧରି ପ୍ରସ୍ତୁତି କରିଥିଲେ ଏବଂ ଦୁଇଥର ନିଟ୍ ପରୀକ୍ଷା ଦେଇଥିଲେ। କିନ୍ତୁ ଉଭୟ ଥର ସେ ବିଫଳ ହୋଇଥିଲେ। ପୁଲିସର ପଚରାଉଚରା ସମୟରେ ଆର୍ୟନ କହିଥିଲେ ଯେ ପରିବାର ପକ୍ଷରୁ ସଫଳତା ପାଇଁ ବହୁତ ଚାପ ଥିଲା। ପରୀକ୍ଷାରେ ସଫଳ ହୋଇନପାରିବା ପରେ ସେ ଚରମ ପଦକ୍ଷେପ ନେଇଥିଲେ। ଆର୍ୟନଙ୍କ କହିବା ଅନୁସାରେ ଗତ ଜାନୁଆରୀ ମାସରେ ସେ ଦିଲ୍ଲୀରୁ ବ୍ରିଗେଡିୟରଙ୍କ ୟୁନିଫର୍ମ କିଣିଥିଲେ। ପରେ ଦୁଇଜଣ ଯୁବକଙ୍କୁ ଭଡ଼ାରେ ରଖି ସୁରକ୍ଷାକର୍ମୀ ଭାବେ ସାଙ୍ଗରେ ନେଇଥିଲେ। ଏହାପରେ ସେ ଘରଲୋକଙ୍କୁ କହିଥିଲେ ଯେ ତାଙ୍କର ଭାରତୀୟ ସେନାରେ ମନୋନୟନ ହୋଇଯାଇଛି। ମେ’ ୨୬ ତାରିଖରେ ଆର୍ୟନ ଦିଲ୍ଲୀରୁ ଶାହଜାହାନପୁରକୁ ଫେରିଥିଲା। ଏହାପରେ ସେ ତାଙ୍କ ବାପାଙ୍କ ହ୍ୟାରିଅର୍ କାରରେ ସେନାର ପତାକା ଲଗାଇ ସହରରେ ଘୂରିବା ଆରମ୍ଭ କରିଥିଲା। ଗିରଫ ହେବା ପରେ ପୁଲିସ ତାଙ୍କ ନିକଟରୁ ୟୁନିଫର୍ମ ସହ ନକଲି ପିସ୍ତଲ, ମିଥ୍ୟା ଦସ୍ତାବିଜ, ବ୍ୟାଟନ୍ ଏବଂ ସେନାର ପ୍ରତୀକ ଚିହ୍ନ ଜବତ କରିଥିଲା। ନାଏବ ସୁବେଦାର ଅମିତ କୁମାର ଆର୍ୟନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।


