June 13, 2026

ବଢିବ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ

1 min read

ନୂଆଦିଲ୍ଲୀ,୧୩ା୬:ପେଟ୍ରୋଲ ଏବଂ ଡିଜେଲର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧିକୁ ନେଇ ପୂର୍ବରୁ କେତେକ ଖାଦ୍ୟ ସାମଗ୍ରୀ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ଇତି ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆହୁରି ବୃଦ୍ଧି ପାଇଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଏଫ୍‌ଏମସିଜି କମ୍ପାନୀଗୁଡ଼ିକ ସେମାନଙ୍କ ଉତ୍ପାଦ ମୂଲ୍ୟ ଆହୁରି ବୃଦ୍ଧି କରିବାକୁ ଯାଉଛନ୍ତି। ଏହାଦ୍ୱାରା ଖୁବଶୀଘ୍ର ବିଭିନ୍ନ ସାମଗ୍ରୀ ମୂଲ୍ୟ ଆହୁରି ମହଙ୍ଗା ହେବ ବୋଲି ନିଶ୍ଚିତ ହୋଇଛି। କମୋଡିଟି ବିଶେଷଜ୍ଞମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସାବୁନ ଓ ସର୍ଫ ଠାରୁ ଆରମ୍ଭ କରି ଟୁଥ୍‌ ପେଷ୍ଟ ଏବଂ ଖାଇବା ତେଲ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀର ମୂଲ୍ୟ ପ୍ରାୟ ୪ ରୁ ୧୧% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତୈଳ ମୂଲ୍ୟବୃଦ୍ଧି ସହିତ ପରିବହନ ଖର୍ଚ୍ଚ ଏବଂ କଞ୍ଚାମାଲ ମହଙ୍ଗା ହେବା କାରଣରୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର, କୋଲଗେଟ-ପାମୋଲିଭ,ଇମାମୀ, ଡାବର, ସଫୋଲା,ମାରିକୋ ଭଳି ଅନେକ ଏଫଏମସିଜି କମ୍ପାନୀ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି ବୋଲି କୁହାଯାଇଛି। ବିତରକ ଚ୍ୟାନେଲ ମାଧ୍ୟମରେ ନୂତନ ଷ୍ଟକ ବଜାରକୁ ଆସିବା ପରେ ଗ୍ରାହକମାନେ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଜୁଲାଇ ମାସରେ ଏହି ସଂଶୋଧିତ ମୂଲ୍ୟରେ ହିଁ ଜିନିଷ କିଣିବେ। ମୋତିଲାଲ ଓସ୍‌ୱାଲର ଜଣେ ବିଶ୍ଳେଷକ କହିଛନ୍ତି, ଅଶୋଧିତ ତୈଳ ସହ ଜଡ଼ିତ କଞ୍ଚାମାଲ ଏବଂ କିଛି ର୍ନିଦ୍ଦିଷ୍ଟ କୃଷି ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଉତ୍ପାଦନ ଖର୍ଚ୍ଚ ବଢ଼ିଛି। ଯାହା ଅଧିକାଂଶ କମ୍ପାନୀକୁ ସୀମିତ ଭାବେ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ କରିଛି।