November 15, 2026

ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ଧୁତରାରେଳ ଷ୍ଟେସନ ନିକଟରେ ଆଜି ରବିବାର କୋଚ୍‌ରେ ନିଆଁ ଲାଗିବା ଘଟଣା

1 min read

ସୁନ୍ଦରଗଡ଼,ବନ୍ଧମୁଣ୍ଡା : ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ଧୁତରାରେଳ ଷ୍ଟେସନ ନିକଟରେ ଆଜି ରବିବାର ଟାଟାନଗର–ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୮୧୮୯)ର ଏ-୨ କୋଚ୍‌ରେ ନିଆଁ ଲାଗିବା ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଆତଙ୍କ ଦେଖାଦେଇଥିଲା। ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ୧୧ଟା ସମୟରେ ଟ୍ରେନ୍‌ର ଏ-୨ କୋଚ୍‌ରୁ ପ୍ରଥମେ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ କୋଚ୍‌ରୁ ନିଆଁର ଶିଖା ଦେଖାଯିବାରୁ ତୁରନ୍ତ ଟ୍ରେନ୍‌କୁ ଅଟକାଇ ଦିଆଯାଇଥିଲା।

ଚଳନ୍ତା ଟ୍ରେନ୍‌ର କୋଚ୍‌ରୁ ହଠାତ୍ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ନିଜ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ଯାତ୍ରୀ ତରବରିଆ ଭାବେ କୋଚ୍‌ରୁ ଓହ୍ଲାଇ ପଡ଼ିଥିଲେ। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ରେଳ କର୍ମଚାରୀମାନେ ତୁରନ୍ତ ସକ୍ରିୟ ହୋଇ ଅଗ୍ନିଶମ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବା ଆରମ୍ଭ କରିଥିଲେ। ସେମାନଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିଲା।