November 15, 2026

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇଛି

1 min read

ଭୁବନେଶ୍ୱର,୧୫ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇଛି। ସକାଳ ୫ଟା ୩୦ରେ ଏହା ଅବପାତରେ ପରିଣତ ହୋଇଛି। ତେବେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଅବପାତ ବାତ୍ୟାରେ ପରିଣତ ହୋଇ ୧୭ରେ ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ରବିବାର ସୁଦ୍ଧା ସମୁଦ୍ର ମଧ୍ୟରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦିଆଯାଇଛି। ପୋର୍ଟବ୍ଲେୟାରରୁ ୭୦୦ କିମି, ଚେନ୍ନାଇରୁ ୮୬୦ କିମି ଦୂରରେ ଅବପାତ ସୃଷ୍ଟି ହୋଇଥିବାବେଳେ ବିଶାଖାପାଟଣାରୁ ୧୦୪୦ ଓ ଗୋପାଳପୁରରୁ ୧୧୬୦ କିମି ଦୂରରେ ଅବପାତ ସୃଷ୍ଟି ହୋଇଛି। ଏହି ସମୟରେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି।

ଅନ୍ୟପକ୍ଷରେ ୟୁରୋପୀୟ ପାଣିପାଗ ମଡେଲ ଅନୁସାରେ, ବାତ୍ୟା ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୮ ତାରିଖଠାରୁ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିବ। ବିଶେଷକରି ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ୱାର୍ନିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ସହିତ ସର୍ୱାଧିକ ୫୦ କି.ମି. ବେଗରେ ପବନ ବହିବା ନେଇ ସତର୍କ କରାଯାଇଛି। ୧୯ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗଞ୍ଜାମ, ଗଜପତି ଓ ପୁରୀ ଜିଲାକୁ ଅତି ପ୍ରବଳ ବର୍ଷା ସହ ୬୦ କିମି ବେଗରେ ପବନ ନେଇ ଅରେଞ୍ଜ ଓ୍ୱାର୍ନିଂ ଦିଆଯାଇଛି।