July 27, 2024

ଘଷିପୁରା ନିର୍ବାଚନ ମଣ୍ଡଳୀରେ ଏଥର ହେବାକୁ ଯାଉଛି ଘମାଘୋଟ ଲଢ଼େଇ

1 min read

ଘଷିପୁରା ନିର୍ବାଚନ ମଣ୍ଡଳୀରେ ଏଥର ହେବାକୁ ଯାଉଛି ଘମାଘୋଟ ଲଢ଼େଇ। ଯଦିଓ ୨୦୦୯ ନିର୍ବାଚନ ପରଠାରୁ ବିଜେଡି ଏଠାରେ ଏକପାଖିଆ ଜିତିଆସୁଛି; ୨୦୨୪ ଲଢ଼େଇରେ ଫଳାଫଳ କିଛି ବି ହୋଇପାରେ। ଏଠାରେ ଦଳୀୟ ରାଜନୀତି ହେଉଥିଲେ ମଧ୍ୟ ସ୍ଵାଧୀନ ପ୍ରାର୍ଥୀ ବି ଜିତିବାର ଏକାଧିକ ଉଦାହରଣ ରହିଛି। ଏଥର ଏଠାରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ସବୁ ନେତା ପୂରା ଦମ୍ ଲଗାଇଦେଇଛନ୍ତି।୨୦୦୯ରେ ରାମଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହୋଇ ଘଷିପୁରା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ହେଲେ ତା’ପୂର୍ବରୁ କଂଗ୍ରେସ ଓ ଅଣ କଂଗ୍ରେସ ପ୍ରାର୍ଥୀଙ୍କ ତୀବ୍ର ଲଢ଼େଇ ଦେଖିଛନ୍ତି ଏ ନିର୍ବାଚନ ମଣ୍ଡଳୀ ବାସିନ୍ଦା। କେତେବେଳେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇଛନ୍ତି ତ କେତେବେଳେ ସ୍ଵାଧୀନ ପ୍ରାର୍ଥୀଙ୍କ ମୁଣ୍ଡରେ ସୁନାକଳସ ଢାଳିଛନ୍ତି ଏଠାକାର ଭୋଟର। ଏଠାରେ କଂଗ୍ରେସର ବହୁତ ଦବଦବା ଥିଲେ ମଧ୍ୟ ଏକାଧିକ ଥର ଏହାର ପ୍ରାର୍ଥୀ ଜନତାଦଳ ଓ ବିଜେଡି ଆଗରେ ହାର୍ ମାନିଛନ୍ତି। ଏବେ ତୃତୀୟ ଶକ୍ତି ଭାବେ ବିଜେପି ମଧ୍ୟ ଉଭା ହୋଇଛି।

ପ୍ରାୟ ଅଢ଼େଇ ଦଶନ୍ଧି ହେଲା ରାମଚନ୍ଦ୍ରପୁର ତଥା ଘଷିପୁରାରେ ବଦ୍ରି ନାରାୟଣ ପାତ୍ର ଓ ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ହିଁ ଲଢ଼େଇ ହୋଇ ଆସୁଛି। ଏଥର ନିରଞ୍ଜନ ଏଠାରୁ ଲଢୁନାହାନ୍ତି। ତେଣୁ ଏଥର ବଦ୍ରି ପୁଣି ଏକପାଖିଆ ନିର୍ବାଚନ ଜିତିବେ ବୋଲି ଆଶା ବାନ୍ଧି ଥିଲେ। କିନ୍ତୁ ପ୍ରାର୍ଥିପତ୍ର ଦାଖଲ ସରିବା ପରେ ସ୍ଥିତିରେ ବଡ଼ ପରିବର୍ତ୍ତନ ହୋଇଛି। ଏଥର ଭୋଟ ଧୃବୀକରଣ ହେବାର ସମ୍ଭାବନା କମ, ବରଂ ଭୋଟ୍ ବିଭାଜନ ହେବାର ବଡ଼ ସମ୍ଭାବନା ସୃଷ୍ଟି ହୋଇଛି। ବଦ୍ରି ନାରାୟଣ ପାତ୍ର ପ୍ରଥମେ ଜନତା ଦଳ ଟିକଟରେ ୧୯୯୦ ନିର୍ବାଚନରେ ଜିତି କଂଗ୍ରେସ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ୧୯୯୫ ନିର୍ବାଚନରେ କିନ୍ତୁ ପୁଣି କଂଗ୍ରେସ ସପକ୍ଷରେ ଜନମତ ଯାଇଥିଲା। ନିରଞ୍ଜନ ଏଠାରୁ ଜିତିଥିଲେ ମଧ୍ୟ ବଦ୍ରି ନାରାୟଣ ମାତ୍ର ୫,୩୩୪ ଭୋଟ୍‌ରେ ପଛରେ ରହିଥିଲେ। ଏହି ନିର୍ବାଚନରେ ଦ୍ଵିମୁଖୀ ଲଢ଼େଇ ହୋଇଥିଲା। ବିଜେପି ପ୍ରାର୍ଥୀ ମାତ୍ର କେଇ ଶହ ଭୋଟ୍‌ ପାଇଥିଲେ।

୨୦୦୦ରେ ରାଜ୍ୟରେ ନୂଆ ଦଳ ଭାବେ ଜନ୍ମ ନେଇଥିଲା ବିଜେଡି। ବିଜେପି-ବିଜେଡି ମେଣ୍ଟ ହୋଇଥିବା ବେଳେ ଏ ଆସନ ବିଜେପି ଭାଗରେ ପଡ଼ିଥିଲା। ଜନତା ଦଳର ଜଣେ ଟାଣୁଆ ନେତା ଥିଲେ ମଧ୍ୟ ବିଜେଡି ଏ ଆସନକୁ ଛାଡ଼ି ଦେଇଥିଲା। ବଦ୍ରିନାରାୟଣ ପାତ୍ର ଏଠାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏଥିରେ ନିରଞ୍ଜନ ଓ ବିଜେପି ପ୍ରାର୍ଥୀ ଅକ୍ଷୟ ମିଶ୍ରଙ୍କୁ ଚକ୍‌ମା ଦେଇ ବିଧାନସଭାକୁ ପୁଣି ଫେରିଥିଲେ। ୨୦୦୪ରେ ମଧ୍ୟ ସମାନ ଘଟଣା ଘଟିଥିଲା। ବଦ୍ରି ପୁଣି ସ୍ଵାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ନିରଞ୍ଜନ ପଟ୍ଟନାୟକଙ୍କଠାରୁ ମାତ୍ର ୪୮୨ ଭୋଟ୍‌ରେ ହାରିଯାଇଥିଲେ। ବିଜେପି ପୁଣି ତୃତୀୟ ସ୍ଥାନରେ ରହିଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିଥିଲା ଓ ସେବେଠାରୁ ଘଷିପୁରାରୁ ବଦ୍ରି ଏକପାଖିଆ ଜିତିଆସୁଛନ୍ତି। ଏଥର ବି ତାଙ୍କ ଉପରେ ବିଜେଡି ଭରସା କରିଛି। ବଦ୍ରିଙ୍କର ସମଗ୍ର କେନ୍ଦୁଝର ଜିଲ୍ଲାରେ ପ୍ରଭାବ ରହିଛି। ତାଙ୍କର ବଡ଼ ବ୍ୟବଧାନରେ ନିର୍ବାଚନ ଜିତିବାର ରେକର୍ଡ ମଧ୍ୟ ରହିଛି। କିନ୍ତୁ ଏଥର ତାଙ୍କ ବିରୋଧରେ ଅନ୍ତଃସ୍ରୋତ ମଧ୍ୟ ରହିଛି। ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ କିଛି ଅସନ୍ତୋଷ ମଧ୍ୟ ରହିଛି। ତେଣୁ ଏଥର ଆଉ ଏକପାଖିଆ ଫଳାଫଳ ହେବନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

ଘଷିପୁରାରେ ବିଜେପି ଏଥର ପ୍ରାର୍ଥୀ ବଦଳାଇଛି। ଅବସରପ୍ରାପ୍ତ ସରକାରୀ ଅଧିକାରୀ ଶମ୍ଭୁନାଥ ରାଉତଙ୍କୁ ଟିକେଟ ଦେଇଛି ଦଳ। କିଛି ଦିନ ହେଲା ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥିବା ଶମ୍ଭୁନାଥ ରାଜନୀତିରେ କିନ୍ତୁ ପୂରା ନୂଆ। ଭୋଟରଙ୍କ ମନକୁ ବୁଝିବା ଓ ରଣନୀତି କରିବା ତାଙ୍କ ପାଇଁ ଏତେ ସହଜ ହେବ ନାହିଁ। କିନ୍ତୁ କେନ୍ଦୁଝର ଜିଲ୍ଲାରେ ବିଜେପିର ସ୍ଥିତି କ୍ରମାଗତ ଭାବେ ସୁଧୁରୁ ଥିବାରୁ ସମସ୍ତଙ୍କୁ ଚକମା ଦେବାକୁ ଆଶା ରଖିଛନ୍ତି ଶମ୍ଭୁ। କିନ୍ତୁ ପୁରୁଣା ପ୍ରାର୍ଥୀଙ୍କୁ ଆଉଥରେ ସୁଯୋଗ ଦେଇଥିଲେ ଫଳାଫଳ ଅଲଗା ହେବାର ସମ୍ଭାବନା ଥିଲା ବୋଲି କୁହାଯାଉଛି। ଘଷିପୁରା ରାଜନୀତିରେ ଓ୍ଵାଇଲ୍ଡ କାର୍ଡ ଏଣ୍ଟ୍ରି କରିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ପିତୃ ଋଣ ସୁଝିବାକୁ ଆସିଥିବା କହିଛନ୍ତି ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ସୌମ୍ୟ। ନାମାଙ୍କନ ସମୟରେ ତାଙ୍କ ସହିତ ହଜାର ହଜାର ସମର୍ଥକ ଆସିବା ବଦ୍ରିଙ୍କ ଶିବିରରେ ହଲଚଲ୍ ସୃଷ୍ଟି କରିଛି। ପୂର୍ବେ ଘଷିପୁରାରେ ଯେତେବେଳେ ଭୋଟରଙ୍କୁ କଂଗ୍ରେସ କିମ୍ବା ବିଜେପିର ପ୍ରାର୍ଥୀ ପସନ୍ଦ ନ ଥିଲେ ସେତେବେଳେ ସ୍ଵାଧୀନ ପ୍ରାର୍ଥୀ ବଦ୍ରିଙ୍କ ଉପରେ ସମର୍ଥନ ଅଜାଡ଼ି ଦେଇଥିଲେ। ୨୪ ବର୍ଷ ପରେ ପୁଣି ଜଣେ ସ୍ଵାଧୀନ ପ୍ରାର୍ଥୀ ଏଠାରେ ବାଜି ପଲଟାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଫରକ ହେଲା ସେତେବେଳେ ସ୍ଵାଧୀନ ପ୍ରାର୍ଥୀ ଥିଲେ ବର୍ତ୍ତମାନର ବିଜେଡି ପ୍ରାର୍ଥୀ ବଦ୍ରି ଓ ଏଥର ସ୍ଵାଧୀନ ପ୍ରାର୍ଥୀ ହୋଇଛନ୍ତି ସୌମ୍ୟ। ସୌମ୍ୟଙ୍କ ସହ ବିଜେଡିର କିଛି ନେତା ଓ କର୍ମୀଙ୍କ ସହ କଂଗ୍ରେସର ପୁରୁଣା ସମର୍ଥକ ବି ଯୋଡ଼ି ହୋଇଛନ୍ତି। ଏହା ସହିତ ବିଜେପିର ଭୋଟ୍ ବି ବିଭାଜନ କରିବାକୁ ସେ ଉଦ୍ୟମ ଚଳାଇଛନ୍ତି। କେନ୍ଦୁଝରରେ ବୈତରଣୀ କୂଳରେ ଥିବା ଏ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଆଶୀର୍ବାଦରେ ନିର୍ବାଚନ ଜିତିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କଂଗ୍ରେସର ଘଷିପୁରାରେ ପାରମ୍ପରିକ ଭୋଟ୍ ରହିଛି। କିନ୍ତୁ ଏଥର କଂଗ୍ରେସ ଏ ଆସନକୁ ନେଇ ଦ୍ଵନ୍ଦ୍ଵରେ ରହିଛି। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସୁବ୍ରତ ଚକ୍ର। କିନ୍ତୁ ସେ ଏ ହାଇଭୋଲଟେଜ୍ ଲଢ଼େଇରେ କେତେ ସଫଳ ହେବେ ସେ ନେଇ କିଛି ସ୍ପଷ୍ଟ ହୋଇପାରିନି। ତଥାପି ଯଦି କଂଗ୍ରେସ ଭୋଟ୍‌କୁ ସେ ଏକାଠି କରିପାରନ୍ତି ତେବେ ଲଢ଼େଇର ଶେଷ ଯାଏ କଂଗ୍ରେସ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଏଥର ସନାତନ ମହାକୁଡ ବିଜେଡିରେ ସାମିଲ ହୋଇଛନ୍ତି। ଘଷିପୁରା ନିର୍ବାଚନ ମଣ୍ଡଳୀରେ ବି ତାଙ୍କର ପ୍ରଭାବ ରହିଛି। ସନା ସେନା ନାମରେ ତାଙ୍କର ଏକ ସଂଗଠନ ଏଠାରେ ଲୋକଙ୍କ ସହ ଯୋଡ଼ି ହୋଇଛି। କିନ୍ତୁ ସନା ଓ ବଦ୍ରିଙ୍କ ମଧ୍ୟରେ ସମ୍ପର୍କ ସେତେ ବେଶୀ ଭଲ ନ ଥିବାରୁ ସନାଙ୍କ ସମର୍ଥକମାନେ ପୂର୍ଣ୍ଣମାତ୍ରାରେ ବିଜେଡିକୁ ଯିବେ ନା ନିରପେକ୍ଷ ରହିବେ ତାହା ଏକ ବଡ଼ ପ୍ରଶ୍ନବାଚୀ। ସୌମ୍ୟଙ୍କ ନାମାଙ୍କନ ସମୟରେ କିଛି ସନା ସମର୍ଥକ ସାମିଲ ହୋଇଥିବାରୁ ଏ ପ୍ରଶ୍ନର ପ୍ରାସଙ୍ଗିକତା ବଢ଼ାଇଦେଇଛି। ଘଷିପୁରାରେ ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ୭୭,୮୯୦ ଭୋଟ୍ ପାଇ ବିଜୟୀ ହୋଇଥିଲେ। କଂଗ୍ରେସର ନିରଞ୍ଜନ ପଟ୍ଟନାୟକ ୫୨,୩୩୬ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। ସେହିପରି ୨୦୧୪ ନିର୍ବାଚନରେ ବିଜେଡିରୁ ବଦ୍ରିନାରାୟଣ ପାତ୍ର ୧,୦୮,୯୦୦ ଭୋଟ୍ ପାଇ ଏକତରଫା ବିଜୟ ହାସଲ କରିଥିଲେ। ବିଜେପି ପ୍ରାର୍ଥୀ ସତ୍ୟବ୍ରତ ପଣ୍ଡାଙ୍କୁ ୨୦,୨୯୮ ଭୋଟ୍ ମିଳିଥିଲା। ଅନ୍ୟପଟେ ୨୦୧୯ରେ ପୁଣି ବଦ୍ରିନାରାୟଣ ପାତ୍ର ୮୬,୮୧୬ ଭୋଟ୍ ପାଇ ନିର୍ବାଚନ ଜିତିଥିଲେ। କଂଗ୍ରେସ ପାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ୫୪,୧୨୮ ଭୋଟ୍ ମିଳିଥିଲାବେଳେ ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ କୁଅଁର ୨୭,୫୭୯ ଭୋଟ୍ ପାଇଥିଲେ।

Leave a Reply

Your email address will not be published. Required fields are marked *