ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ
1 min readଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୫ ତାରିଖରୁ ସକ୍ରିୟ ରହିଛି | ଏହାର ପ୍ରଭାବରେ ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସଂଭାବନା ରହିଛି । ପ୍ରବଳ ବର୍ଷାସମ୍ଭାବନା ଥିବା ବିଭିନ୍ନ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେ ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ। ସେହିପରି କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ବରଗଡ଼ରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣେ ବିଜୁଳି, ଘଡ଼ଘଡ଼ି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ସେହିପରି ଗତକାଲି ଟ୍ୱିନ ସିଟି ସମେତ ବ୍ରହ୍ମପୁର,ଏବଂ ପୁରୀରେ ମଧ୍ୟ ପ୍ରବଳ ବର୍ଷା ହୋଇଯାଇ ଥିବାବେଳେ, ଆଜି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମାଲକାନଗିରି ଓ କୋରାପୁଟରେ ଅତିପ୍ରବଳ ବର୍ଷା ସହ ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ତେବେ ମୌସୁମୀ ସିଜିନରେ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ ବୃଷ୍ଟିପାତ । ଜୁନ ମାସରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି । ସେପଟେ ଗତ କିଛିଦିନ ତଳେ ରାଜ୍ୟରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭୁବନେଶ୍ୱରକୁ ମୌସୁମୀ ଛୁଇଁବା ସହ ସାରା ରାଜ୍ୟରେ ସକ୍ରିୟ ହୋଇଛି।