July 27, 2024

ପରାଜୟ ଭୟରେ ହିଂସାକୁ ଆୟୁଧ କରୁଛି ବିଜେଡି: ସତ୍ୟବ୍ରତ ପଣ୍ଡା

1 min read

ଭୁବନେଶ୍ୱର: ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ସତ୍ୱେ ସୁଧୁରୁନାହାନ୍ତି ନିମ୍ନପାହିଆ ପୋଲିସ ଅଧିକାରୀ । ଯାହାଫଳରେ ନିର୍ବାଚନୀ ହିଂସାରେ ସଂପୃକ୍ତ ବିଜୁ ଜନତା ଦଳର କର୍ମୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ କୁଣ୍ଠା ପ୍ରକାଶ ବା ପଛଘୂଂଚା ଦେଉଛନ୍ତି । ଏହିକାରଣରୁ ବିଜେଡି ନିର୍ବାଚନ ବେଳେ ବାରମ୍ବାର ହିଂସା ଆଚରଣ କରିବାରେ ସମର୍ଥ ହେଉଛି । ପରାଜୟ ଭୟରେ ସମ୍ବିଧାନ ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ଦାବି ଜଣାଉଥିବା ବିଜୁ ଜନତା ଦଳ ହିଂସ୍ର ହୋଇଉଠିଛି । କଳେବଳେ ଓ କୌଶଳେ ନିର୍ବାଚନ ଜିତିବା ପାଇଁ ଗୁଣ୍ଡାଗର୍ଦ୍ଦି କରି ବିଜେପି କର୍ମୀଙ୍କୁ ଆକ୍ରମଣ କରୁଛି । ଏପରି କି ହତ୍ୟା କରିବାକୁ ପଛଘୂଂଚା ଦେଉନାହିଁ । ଦୀର୍ଘ ୨୫ବର୍ଷ ଧରି ଶାସନରେ ଥିବା ବିଜେଡି ହାରିବା ଭୟରେ ନିର୍ବାଚନର ଫଳାଫଳକୁ ନିଜ ସପକ୍ଷରେ ନେବା ପାଇଁ ଅପଚେଷ୍ଟା ଚଳାଇଛି । ନିର୍ବାଚନ ସମୟରେ ବିଜେଡିର ଗୁଣ୍ଡାମାନେ ବିଜେପି କର୍ମୀଙ୍କୁ ହତ୍ୟା କରୁଛନ୍ତି ଯାହା ଗଣତନ୍ତ୍ର ପ୍ରତି ବିପଦ । ଓଡ଼ିଶାର ତିନୋଟି ପର୍ଯ୍ୟାୟ ନିର୍ବାଚନରେ ବିଜେଡି ହିଂସା ଘଟାଇବା ସତ୍ୱେ ଜନମତ ବିଜେପି ସପକ୍ଷରେ ରହିଛି । ଆସନ୍ତା ଜୁନ୍ ୪ତାରିଖରେ ବିଜେପି ସରକାର ଗଠନ କରିବା ସୁନିଶ୍ଚିତ । ଆସନ୍ତା ୧ତାରିଖ ନିର୍ବାଚନରେ ବିଜେଡି ଖରାପ ପ୍ରଦର୍ଶନ କରିବ ବୋଲି ଜାଣିସାରିଥିବାରୁ ରକ୍ତମୁଖା ହୋଇଉଠିଛି ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି । ଗଞ୍ଜାମ ଜିଲ୍ଲା ସଭାପତି ଡ. ସୁବାଷ ଚନ୍ଦ୍ର ସାହୁ ରାଜ୍ୟ ସଭାପତିଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ । ସାହୁଙ୍କୁ ତୋଟାପଡା ଗାଁରେ ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସାହୁଙ୍କ ହାତ ଭାଙ୍ଗି ଦେବା ସହ ଗାଡି ନଷ୍ଟ କରି ଟଙ୍କା ଛଡାଇ ନେଇଛନ୍ତି । ଏଭଳି ଘଟଣା ଘଟାଇଛନ୍ତି ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ପାଖ ଲୋକ ମଂଟୁ ମହାନ୍ତି । ଏଭଳି ଆତଙ୍କରାଜ ଚଳାଇଥିବାରୁ ମହାନ୍ତିଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଆଜି ବିଜେପିର ପ୍ରତିନିଧିମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ସେହିପରି ସୁକିନ୍ଦାରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତାମାନେ ପୋଷ୍ଟର ମାରୁଥିବାବେଳେ ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ତୁରନ୍ତ ସିଇଓ ପୋଲିସ ଅଧିକାରୀଙ୍କୁ ଡାକି ତାଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପଣ୍ଡା ଦାବି କରିଛନ୍ତି । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ବିଜୁ ଜନତା ଦଳ । ଆସନ୍ତା ୧ତାରିଖ ରାଜ୍ୟରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ବିଜେଡି ବ୍ୟାପକ ହିଂସା ଓ ବିଶୃଙ୍ଖଳା ସୃଷ୍ଟି କରିବାର ଆଶଙ୍କା ରହିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅଧିକ ସତର୍କତାର ସହ ନିର୍ବାଚନ ପରିଚାଳନା କରିବାକୁ ବିଜେପି ପକ୍ଷରୁ ନବେଦନ କରାଯାଇଛି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତ୍ରୀ ସଙ୍ଗୀତା ଦାସ, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *