ମଧ୍ୟପ୍ରଦେଶ ସରକାରଙ୍କ ଉପରେ ଋଣ ଭାର କ୍ରମାଗତ ଭାବେ ବଢ଼ି ଚାଲିଛି
1 min read
ଭୋପାଳ : ମଧ୍ୟପ୍ରଦେଶ ସରକାରଙ୍କ ଉପରେ ଋଣ ଭାର କ୍ରମାଗତ ଭାବେ ବଢ଼ି ଚାଲିଛି। ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଏବେ ଋଣ ଭାର ୫.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଗଲାଣି। ଏହାକୁ ଦେଖି ସରକାର ଆର୍ଥିକ କଟକଣା ଲଗାଇଛନ୍ତି। ବ୍ୟୟ ହ୍ରାସ ପାଇଁ ମନ୍ତ୍ରୀ-ଅଧିକାରୀଙ୍କ ବିଦେଶ ଗସ୍ତ ଓ ସରକାରୀ କାର୍ଯ୍ୟକ୍ରମରେ ମହଙ୍ଗା ହୋଟେଲ ବ୍ୟବହାରରେ କଟକଣା ଲଗା ଯାଇଛି। ଏପରି ସଙ୍କଟ ଜନକ ସ୍ଥିତିରେ ବଡ଼ ଜାଲିଆତି ସାମନାକୁ ଆସିଛି। ରାଜ୍ୟରେ ବଜେଟ ଆବଣ୍ଟନ କରୁଥିବା ସରକାରୀ ଆର୍ଥିକ ସିଷ୍ଟମରେ ବଡ଼ଧରଣର ଜାଲିଆତି ହୋଇଥିବା ଜଣାପଡ଼ିଛି। ରାଜକୋଷ ଓ ହିସାବ ବିଭାଗ (ଟ୍ରେଜେରି ଆଣ୍ଡ ଆକାଉଣ୍ଟ ଡିପାର୍ଟମେଣ୍ଟ)ର ଷ୍ଟେଟ ଫାଇନାନସିଆଲ ଇଣ୍ଟେଲିଜେନ୍ସ ସେଲ (ଏସଏଫଆଇସି)ର ଯାଞ୍ଚରେ ପ୍ରାୟ ୬୦୦ କୋଟି ଟଙ୍କାର ହେରଫେର ହୋଇଥିବା ସାମନାକୁ ଆସିଛି। ଅନେକ ଜାଲ ବିଲ୍ ପାଇଁ ଟଙ୍କା ପୈଠ କରାଯାଇଛି। ଆଉ କୋଉଠି ଗୋଟିଏ କାମ ପାଇଁ ଦୁଇ ଥର ଅର୍ଥ ଦିଆଯାଇଛି। ଆଉ କିଛି କର୍ମଚାରୀ ସିଷ୍ଟମରେ ଥିବା ଦୁର୍ବଳତାର ଲାଭ ଉଠାଇ ସରକାରୀ ଖାତାରୁ ନିଜକୁ, ପତ୍ନୀଙ୍କୁ ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଛନ୍ତି। ଗତ ୫ ବର୍ଷ ହେଲା ଏହି ବେଆଇନ କାରବାର ଚାଲିଥିଲା। ସରକାରୀ ପେମେଣ୍ଟ ପାଇଁ ଉଦ୍ଦିଷ୍ଟ ‘ଇଣ୍ଟିଗ୍ରେଟେଡ ଫାଇନାନସିଆଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ’ (ଆଇଏଫଏମଆଇଏସ) ମାଧ୍ୟମରେ ଏଭଳି ଚାଲିଥିଲା। ଏହି ସିଷ୍ଟମ ମାଧ୍ୟମରେ ସରକାରଙ୍କ ପ୍ରାୟ ୪.୫୦ ଲକ୍ଷ କୋଟି ଟଙ୍କାର ବଜେଟ ଆବଣ୍ଟନ ହୋଇଥାଏ। ଏ ପର୍ଯ୍ୟନ୍ତ ଏହି ମାମଲାରେ ୪୦୦ରୁ ଅଧିକ ଲୋକଙ୍କ ବିରୋଧରେ ୫୯ ଏତଲା ରୁଜୁ କରାଗଲାଣି। ଅନେକ ମାମଲାର ଯାଞ୍ଚ ଇଡି ଓ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କରୁଛି।
ସୂଚନା ଅନୁଯାୟୀ, ୧୯୯ଟି ସନ୍ଦେହଜନକ ଟ୍ରାଞ୍ଜାକ୍ସନରେ ୩୦୫ କୋଟି ଟଙ୍କା ପଠା ଯାଇଥିବାବେଳେ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ୨୯୩ କୋଟି ଟଙ୍କା ପଠା ଯାଇଥିଲା। ୨୪ ବିଭାଗରେ ଏହି ଅନିୟମିତତା ହୋଇଥିଲା। ଏହି ଟଙ୍କା ନେଇ କର୍ମଚାରୀ ସମ୍ପତ୍ତି, ସୁନାଗହଣା କିଣିଥିଲେ। ଜୁଆ ମଧ୍ୟ ଖେଳିଥିଲେ। ଏବେ ସୁଦ୍ଧା ଅସାଧୁ କର୍ମଚାରୀଙ୍କଠାରୁ ୨୨୦ କୋଟି ଟଙ୍କା ଆଦାୟ କରାଗଲାଣି। ଏହି ଜାଲିଆତି ପାଇଁ ସରକାରୀ ପାଣ୍ଠି ଉପରେ ନଜର ରଖୁଥିବା ସିଷ୍ଟମର ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦିଆଯାଇଥିଲା। ସିଷ୍ଟମରେ ଥିବା କର୍ମଚାରୀଙ୍କ ମୋବାଇଲ ନମ୍ବର ବଦଳାଇ ଦିଆଯାଇଥିଲା। ଏହା ଦ୍ବାରା ପ୍ରକୃତ କର୍ମଚାରୀ କିମ୍ବା ଅଧିକାରୀଙ୍କ ପାଖକୁ ମେସେଜ ଯାଉ ନ ଥିଲା। ରାଜକୋଷରୁ ଅଲିରାଜପୁର କଟିୱାଡ଼ର ପୂର୍ବତନ ବିଇଓ କମଲ ରାଠୋର ଟ୍ରେଜେରିରୁ ୨୦ କୋଟି ୪୭ ଲକ୍ଷ ଟଙ୍କା ଅଲଗା ଅଲଗା ଖାତାକୁ ପଠାଇ ଦେଇଥିଲେ। ଗନ୍ଧୱାନିରେ ବାଲାଜୀ ଧାମ କଲୋନୀ ବିକଶିତ କରିବାକୁ ସେ ଏହି ଟଙ୍କା ବ୍ୟବହାର କରିଥିଲେ। ଏବେ ଇଡି ତାଙ୍କର ୫୬ ପ୍ଲଟ ଜବତ କରିଛି। ସେହିପରି ଉଜ୍ଜୈନ ଜେଲର ଗାର୍ଡ ରିପୁଦମନ ସିଂହ ଜାଲିଆତି କରି ନିଜକୁ ପ୍ରତି ମାସରେ ୪.୮୨ ଲକ୍ଷ ଟଙ୍କା ପଠାଉ ଥିଲା। ମାତ୍ର ସେ ମାସକୁ ୩୫ ହଜାର ଟଙ୍କା ପାଉଥିଲେ। ସେ ପ୍ରାୟ ୧୦ କୋଟି ଟଙ୍କା ଠକି ନେଇଥିେଲ। ଏହା ବ୍ୟତୀତ ଅଲିରାଜପୁରର ମଥୱାଡ ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ରାୟ ସିଂହ ତୋମାର ୨ଟି କର୍ମଚାରୀ କୋଡ କରି ଦୁଇ ଥର ଦରମା ନେଉଥିଲେ। ସେ ୨୦୨୦ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଏପରି କରିଥିଲେ।


