October 27, 2024

ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଷ୍ଟେସନ ନିକଟରେ ସୋମବାର ସକାଳେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି

1 min read

କୋଲକାତା : ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଷ୍ଟେସନ ନିକଟରେ ସୋମବାର ସକାଳେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି। ଏଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲଗାଡ଼ି ପଛରୁ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି। ଏଥିରେ ଏଯାଏଁ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ, ଏନଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ତେବେ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

ଟ୍ରେନ ସଂଖ୍ୟା ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ଆସମର ସିଲଚରରୁ କୋଲକାତାର ସିଆଲଦା ଷ୍ଟେସନ ଅଭିମୁଖେ ଯାଉଥିଲା। ସୋମବାର ସକାଳେ ପ୍ରାୟ ୯ଟା ୩୦ ସମୟରେ ଟ୍ରେନଟି ନ୍ୟୁ ଜଲପାଇଗୁଡ଼ି ଷ୍ଟେସନ ଛାଡ଼ି ଆଗକୁ ବଢ଼ିଥିଲା। ଏହି ସମୟରେ ଟ୍ରେନର ବେଗ କମ ଥିବାବେଳେ ଏହାକୁ ପଛରୁ ଆସୁଥିବା ଏକ ମାଲଗାଡ଼ି ଧକ୍କା ଦେଇଥିଲା।

ମାଲଗାଡ଼ି ଧକ୍କାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ପଛରେ ଥିବା ପାର୍ସଲ ଭ୍ୟାନ ଓ ଜେନେରାଲ ବଗି କ୍ଷତିଗ୍ରସ୍ତ ହୋଇଥିଲା। ଜେନେରାଲ ବଗିର ଅନେକ ଲୋକ ଟ୍ରେନ ତଳେ ଚାପି ହୋଇଯାଇଥିବା ସୂଚନା ମିଳିଛି। ତେବେ ଟ୍ରେନ ପଛ ଭାଗରେ ଦୁଇଟି ପାର୍ସଲ ଭ୍ୟାନ ଥିବାରୁ କ୍ଷୟକ୍ଷତି କମ ହୋଇଛି ବୋଲି କୁହାଯାଉଛି। ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଟ୍ରେନର ଦୁର୍ଘଟଣାଗ୍ରସ୍ତ ବଗି ଭିତରୁ ଯାତ୍ରୀମାନଙ୍କୁ ବାହାର କରାଯାଉଛି। ଏହାସହ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ତେବେ ଟ୍ରେନ ତଳେ ଚାପି ହୋଇ ଅନେକ ଯାତ୍ରୀ ଏବେ ବି ଫସିରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଅନୁମାନ କରାଯାଉଛି।

ଅନ୍ୟପଟେ ରେଳବାଇ ପକ୍ଷରୁ ଏହି ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କ ସୂଚନା ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସେଗୁଡ଼ିକ ହେଲା ୦୩୩-୨୩୫୦୮୭୯୪ ଓ ୦୩୩-୨୩୮୩୩୩୨୬।

Leave a Reply

Your email address will not be published. Required fields are marked *