July 27, 2024

ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାମ୍ପିଅନ୍କୁ ମିଳିବ ୨୦.୩ କୋଟି, ରନର୍ସଅପ୍କୁ ୧୧କୋଟି ପୁରସ୍କାର

1 min read

ନୂଆଦିଲ୍ଲୀ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରେକର୍ଡ ସଂଖ୍ୟକ ପୁରସ୍କାର ରାଶି ଘୋଷଣା କରିଛି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)। ବିଶ୍ବକପ୍ରେ ମୋଟ୍ ୯୩.୫ କୋଟି ଟଙ୍କା ପୁରସ୍କାର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ଚାମ୍ପିଅନ୍ ଦଳକୁ ୨୦.୩ କୋଟି ଟଙ୍କା, ରନର୍ସଅପ୍ ଦଳକୁ ୧୦.୬ କୋଟି ଟଙ୍କା ପୁରସ୍କାର ଦିଆଯିବ। ସେହିପରି ପରାଜିତ ସେମିଫାଇନାଲିଷ୍ଟଙ୍କୁ ୬.୫୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଯେଉଁ ଦଳମାନେ ସୁପର-୮ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିପାରିବେନି ସେମାନଙ୍କୁ ୩.୧୭ କୋଟି ଟଙ୍କା ଲେଖାଏଁ ମିଳିବ। ନବମରୁ ଦ୍ବାଦଶ ସ୍ଥାନରେ ରହୁଥିବା ଦଳଙ୍କୁ ୨.୦୫ କୋଟି ଲେଖାଏଁ, ତ୍ରୟୋଦଶରୁ ବିଂଶତମ ସ୍ଥାନ ମଧ୍ୟରେ ରହୁଥିବା ଦଳଙ୍କୁ ୧.୮୭ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

କେବଳ ଏତିକି ନୁହେଁ, ପ୍ରତିଯୋଗିତାରେ ପ୍ରତ୍ୟେକ ବିଜୟ ପିଛା (ସେମିଫାଇନାଲ୍ ଓ ଫାଇନାଲ୍ ବ୍ୟତୀତ) ଦଳଗୁଡିକୁ ଅତିରିକ୍ତ ୨୬ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଏହି ବିଶ୍ବକପ୍ ୨୮ ଦିନ ଧରି ଚାଲିବାକୁ ଥିବା ବେଳେ ମୋଟ୍ ୫୫ ମ୍ୟାଚ୍ ଖେଳାଯିବ। ସେମାନଙ୍କ ମଧ୍ୟରୁ ଶୀର୍ଷ ୮ ଦଳ ସୁପର-୮କୁ ଯୋଗ୍ୟତା ଅର୍ଜନ କରିବେ। ଏଥିରୁ ଶୀର୍ଷ ୪ ଦଳ ସେମିଫାଇନାଲ୍ରେ ପ୍ରବେଶ କରିବେ। ତ୍ରିନିଦାଦ୍ ଓ ଟୋବାଗୋ ଏବଂ ଗାଏନାରେ ଦୁଇଟିଯାକ ସେମିଫାଇନାଲ୍ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ବାର୍ବାଡସ୍ରେ ଅନୁଷ୍ଠିତ ହେବ। ୱେଷ୍ଟଇଣ୍ଡିଜ୍ ଓ ଆମେରିକାର ମୋଟ୍ ୯ଟି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ଗୁଡ଼ିକ ଖେଳାଯାଉଛି।

Leave a Reply

Your email address will not be published. Required fields are marked *