November 13, 2026

୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

1 min read

ବରଗଡ଼,୧୩ା୧୧: ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ୩୪୮ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଗସ୍ତ ଅବସରରେ ମନ୍ତ୍ରୀ ହରିଚନ୍ଦନ ମୋଟ୍‌ ୧୭୯ କୋଟି ଟଙ୍କା ଅଟକଳ ମୂଲ୍ୟର ୯ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ୧୬୯ କୋଟି ଟଙ୍କା ମୂଲ୍ୟର ୬ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବରଗଡ଼ ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଅଡଗାଁ ନାଳ ଉପରେ ଏଚ.ଏଲ. ବ୍ରିଜ ନିର୍ମାଣ, ବିକାଶ କଲେଜରୁ ବରପାଲି ରାସ୍ତାର ଉନ୍ନତିକରଣ, ଏସ୍‌ପି ଅଫିସ ଛକରୁ ପଞ୍ଚାୟତ କଲେଜ ପର୍ଯ୍ୟନ୍ତ ରାସ୍ତା ଏବଂ ସ୍ବିପର୍‌ କଲୋନୀରୁ ପୁରୁଣା ରିଜର୍ଭ ପୋଲିସ ଲାଇନ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ଏହା ସହିତ ପୂର୍ତ୍ତ ବିଭାଗର କର୍ମଚାରୀମାନଙ୍କ ସୁବିଧା ନିମନ୍ତେ ପିଡବ୍ଲ୍ୟୁଡି କଲୋନୀରେ ନୂତନ ‘ଡି’ ଟାଇପ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରାଯାଇଛି। ସେହିପରି ଅତାବିରା ବିଧାନସଭା କ୍ଷେତ୍ରରେ ଗୋଡଭଗାରୁ ତୁରୁମ ରାସ୍ତା (ଏସ.ଏଚ.-୫୪)ର ଉନ୍ନତିକରଣ ଓ ପ୍ରଶସ୍ତିକରଣ ଏବଂ ବିଜେପୁର ବିଧାନସଭା କ୍ଷେତ୍ରର ଜନସାଧାରଣଙ୍କ ଯାତାୟାତକୁ ସୁଗମ କରିବା ପାଇଁ ବରପାଲି-କୁମ୍ଭାରୀ-ବରମକେଲା ରାସ୍ତାର ବୁରୋଗଡ଼ ନାଳ ଉପରେ ଏକ ନୂତନ ଏଚ.ଏଲ. ବ୍ରିଜ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଅନ୍ୟପକ୍ଷରେ ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବରଗଡ଼ ନିର୍ବାଚନ ମଣ୍ଡଳୀର ବିକାଶ ହସ୍ପିଟାଲରୁ ହଲଦିପାଲି ଛକ ରାସ୍ତା ସହ ବିଭିନ୍ନ ବ୍ରିଜର ଉନ୍ନତିକରଣ ଏବଂ ଗାନ୍ଧୀ ଛକରୁ ଆମ୍ବେଦକର ଛକ ରାସ୍ତାରେ ଥାନା ଛକ ପର୍ଯ୍ୟନ୍ତ ରାସ୍ତା କାମ ଲୋକାର୍ପିତ ହୋଇଛି। ଭଟଲି ବିଧାନସଭା କ୍ଷେତ୍ରରେ ସୋହେଲାରୁ ଭଟଲି ଭାୟା ସୁଲସୁଲିଆ ରାସ୍ତାର ସମ୍ପ୍ରସାରଣ ଓ ମଜବୁତୀକରଣ କାର୍ଯ୍ୟର ଉଦ୍‌ଘାଟନ ହୋଇଥିବା ବେଳେ ପଦମପୁର କ୍ଷେତ୍ରରେ ସିଆର୍‌ଆଇଏଫ୍‌ (CRIF) ଅଧିନସ୍ଥ ପାଟଣାଗଡ଼-ପଦମପୁର ରାସ୍ତା, ଦୀପ୍ତିପୁର-ଗାଇସିଲେଟ ରାସ୍ତା ଏବଂ ପାଇକମାଳ-ଝରବନ୍ଧ-ଡଭା ରାସ୍ତାର ପ୍ରଶସ୍ତିକରଣ ଓ ମଜବୁତୀକରଣ କାର୍ଯ୍ୟ ଲୋକାର୍ପିତ ହୋଇଛି। ଏଥିସହ ଅଙ୍ଗ ନାଳ ଉପରେ ନିର୍ମିତ ଏଚ୍‌ଏଲ୍‌ ବ୍ରିଜ୍‌ ମଧ୍ୟ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ଏବଂ ଲୋକାର୍ପିତ ହେବା ଦ୍ୱାରା ସମଗ୍ର ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ସୁଦୃଢ଼ ହେବ ଏବଂ ଜନସାଧାରଣ ନିତିଦିନିଆ ଯାତାୟାତରେ ବିଶେଷ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନର ସ୍ବପ୍ନକୁ ସାକାର କରିବା ଦିଗରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇ ଚାଲିଛନ୍ତି ବୋଲି ସେ ମତବ୍ୟକ୍ତ କରିବା ସହିତ ଏକ ସମୃଦ୍ଧ, ବିକଶିତ ଏବଂ ସୁନ୍ଦର ବରଗଡ଼ ଗଠନ ପାଇଁ ଜିଲାବାସୀଙ୍କ ଭଲପାଇବା ଓ ସହଯୋଗ କାମନା କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଏବଂ ବରଗଡ଼ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।