October 23, 2024

ରାଜଧାନୀରେ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା

1 min read

ଭୁବନେଶ୍ୱର : ରାଜଧାନୀରେ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁଇ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରଥମ ଦୁର୍ଘଟଣାଟି ଏକ କାର ସହ ଟ୍ରକ ଧକ୍କା ହେବାଫଳରେ କାର ରେ ଥିବା ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୪ ଜଣ ସାଙ୍ଗ ଗୁରୁତର ଆହତ ହୋଇଥିଲେ । ମୃତ ଯୁବକ ଜଣଙ୍କ ହେଲେ ବାଲିଅନ୍ତାର ବିଶ୍ୱଜିତ ରାୟ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଟି ତମାଣ୍ଡୋ ଗୋହିରା ଫ୍ଲାଏଓଭର ବ୍ରିଜ୍ ନିକଟରେ ଘଟିଥିବା ବେଳେ ଅନ୍ୟଟି ଏକ ବାଇକ ଦୁର୍ଘଟଣା । ଏଥିରେ ୨ ବାଇକ ଆରୋହୀ ଆହତ ହୋଇଛନ୍ତି । ବାଇକ ଦୁର୍ଘଟଣାଟି ବରମୁଣ୍ଡା କାଳୀ ମନ୍ଦିର ନିକଟରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ରହୁଥିବା ୫ ଜଣ ସାଙ୍ଗ ବିଶ୍ୱଜିତ ରାୟ,ସୌରଭ ଲେଙ୍କା, ସୌରଭ ଭୂୟାଁ, ସତ୍ୟରଞ୍ଜନ ଦାସ ଓ ଏଚ୍‌‌. ରଥ ମିଶି ବରୁଣେଇ ପାହାଡ଼କୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ଭୋଜିଭାତ ସାରି ସନ୍ଧ୍ୟାରେ ଭୁବନେଶ୍ୱର ଫେରୁଥିବା ବେଳେ ତାଙ୍କ କାରଟି ତମାଣ୍ଡୋ ହ୍ୟୁଣ୍ଡାଇ ସୋରୁମ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର୍‌‌ ଆରପଟକୁ ଚାଲି ଯାଇଥିଲା। ଆରପଟ ରାସ୍ତାରେ ଭୁବନେଶ୍ୱରରୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ କାର୍‌‌ ଭିତରେ ଥିବା ୫ ଜଣ ଯାକ ଗୁରୁତର ଆହତ ହୋଇଥିଲେ। ଖବରପାଇ ତମାଣ୍ଡୋ ଥାନା ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌‌ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ବିଶ୍ୱଜିତ ରାୟଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବିଶ୍ୱଜିତଙ୍କ ଘର ଜଗତସିଂପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ଏକ ବିସ୍କୁଟ କମ୍ପାନୀର କାମ କରୁଥିଲେ ।

ସେହିପରି ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍‌‌ରେ ବରମୁଣ୍ଡା ଫାୟାର ଷ୍ଟେସନ ଛକରୁ ଖଣ୍ଡଗିରି ଆଡ଼କୁ ଯାଉଥିବା ବେଳେ ଏକ କାର୍‌‌ ସେମାନଙ୍କୁ ପଛରୁ ଧକ୍କା ଦେବାରୁ ଉଭୟ ଗାଡ଼ିରୁ ଛିଟିକି ପଡ଼ିଥିଲେ। ସେହି ସମୟରେ ଏକ ଟ୍ରକ୍‌‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌‌ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ପୁରୀଘାଟ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *