October 26, 2026

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ

1 min read

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ସମୟରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ ଆୟୋଗ । ଆଗ୍ରା ମଣ୍ଡଳ ଆୟୁକ୍ତଙ୍କ ରିପୋର୍ଟ ଆଧାରରେ ଏହି କଠୋର ପଦକ୍ଷେପ ନିଆଯାଇଛି । ଏଥିସହ ଦୁଇଟି ମତଦାନ କେନ୍ଦ୍ରରେ ନିୟୋଜିତ ଅନ୍ୟ ୫ ଜଣ ନିର୍ବାଚନ ଅଧିକାରୀ ଓ ୧୬ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଆଦେଶ ଦିଆଯାଇଛି।
ଉତ୍ତର ପ୍ରଦେଶ ବିଧାନ ପରିଷଦର ଆଗ୍ରା ମଣ୍ଡଳ ଶିକ୍ଷକ ନିର୍ବାଚନ କ୍ଷେତ୍ରର ମତଦାନ କେନ୍ଦ୍ର ନମ୍ବର ୨୦, ୨୧ ଓ ୨୬ରେ ଶୁକ୍ରବାର ହୋଇଥିବା ମତଦାନକୁ ନିର୍ବାଚନ ଆୟୋଗ ରଦ୍ଦ ଘୋଷଣା କରିଛନ୍ତି। ଏହି କେନ୍ଦ୍ରଗୁଡ଼ିକରେ ପୁନଃ ମତଦାନ କରାଇବାକୁ ଆଗ୍ରା ମଣ୍ଡଳ ଆୟୁକ୍ତ ତାଙ୍କ ରିପୋର୍ଟରେ ସୁପାରିସ କରିଥିଲେ। ସମାଜବାଦୀ ପାର୍ଟି ସମର୍ଥିତ ପ୍ରାର୍ଥୀ ତଥା ବର୍ତ୍ତମାନର ଏମ୍‌ଏଲ୍‌ସି ଡା. ଆକାଶ ଅଗ୍ରୱାଲ ମତଦାନ କେନ୍ଦ୍ରରେ ବୁଥ୍‌ ଦଖଲ ଓ ଅନିୟମିତତା ଅଭିଯୋଗ ଆଣିଥିଲେ। ଏହାପରେ ଘଟଣାର ତଦନ୍ତ ଓ ରିପୋର୍ଟ ଆଧାରରେ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି।
ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଓପି ଚକ୍, ଇନ୍ସପେକ୍ଟର ହରିଶରଣ ସିଂ, ସବ୍‌-ଇନ୍ସପେକ୍ଟର ସନ୍ଦୀପ କୁମାର, ବିଶାଳ ରାଠୋର, ଇନ୍ସପେକ୍ଟର ପୁରୁଷୋତ୍ତମ ପାଲ ଓ ସବ୍‌-ଇନ୍ସପେକ୍ଟର ସୁମିତ ତ୍ୟାଗୀ ରହିଛନ୍ତି। ୫ ଜଣ ନିର୍ବାଚନ ଅଧିକାରୀଙ୍କ ସହ ୧୬ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ୧୬ ଜଣଙ୍କ ମଧ୍ୟରେ ୫ ଜଣ ହେଡ୍‌ କନଷ୍ଟେବଳ ଓ ୧୧ ଜଣ କନଷ୍ଟେବଳ ଅଛନ୍ତି।

ଏଥିସହ ନିଲମ୍ବିତ ୬ ଅଧିକାରୀଙ୍କୁ ଚାର୍ଜସିଟ୍‌ ଜାରି କରିବା ଏବଂ ୧୦ ଦିନ ମଧ୍ୟରେ ତଦନ୍ତ ପାଇଁ ଚାର୍ଜସିଟ୍‌ର ଡ୍ରାଫ୍ଟ ଆୟୋଗଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କାର୍ଯ୍ୟାନୁଷ୍ଠାନର ଅନୁପାଳନ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ମଧ୍ୟ କୁହାଯାଇଛି।