November 14, 2026

ନିରୀହ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା

1 min read

ସୁନ୍ଦରଗଡ଼ର,୧୪ା୧୧: ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ନିରୀହ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହକୁ ଧାନ ବିଲରେ ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ସଦର ଥାନା ରାଜପୁର ଅଞ୍ଚଳର ଏହି ଘଟଣାକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ। ଅନ୍ୟତ୍ର ହତ୍ୟା କରି ମୃତଦେହକୁ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଶନିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଘଟଣାର ଖୋଳତାଡ଼ କରୁଛି। ମୃତକ ହେଉଛନ୍ତି ସୁନ୍ଦର ମଣି ମହାପାତ୍ର। ସଦର ଥାନା ରାଜପୁର ଅଞ୍ଚଳରେ ତାଙ୍କୁ ହତ୍ୟା କରି ଧାନ ବିଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।

ତେବେ ଘଟଣା ପଛରେ ରହିଛି ଆହୁରି ରହସ୍ୟ। ମୃତକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରିବା ପରେ ମୃତଦେହକୁ ବୋହି ଆଣି ଧାନ ବିଲରେ ଫିଙ୍ଗାଯାଇଥିବା ସନ୍ଦେହ ହେଉଛି। କର୍ଲା ଘାଟିଏନ ରାସ୍ତାରେ ରକ୍ତ ଛିଟା ପଡ଼ିଥିବା ସ୍ଥାନୀୟ ଲୋକେ କହିବା ସହ ପୋଲିସକୁ ଅବଗତ କରିଛନ୍ତି।

ମୃତକଙ୍କ ସ୍ତ୍ରୀଙ୍କର କର୍ଲା ଘାଟିଏନ ମନ୍ଦିର ନିକଟରେ ରହିଛି ଏକ ପୂଜା ସାମଗ୍ରୀ ଦୋକାନ। ଜଣେ ନିରୀହ ବ୍ୟକ୍ତିଙ୍କୁ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି।
ଅନ୍ୟପଟେ ସଦର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି। ରକ୍ତ ଛିଟା ସମେତ ବିଭିନ୍ନ ପ୍ରମାଣ ସଂଗ୍ରହ କରି ହତ୍ୟାର ରହସ୍ୟ ଭେଦିବାକୁ ପୋଲିସ ଉଦ୍ୟମ କରୁଛି। ତେବେ ଏହି ହତ୍ୟାକାଣ୍ଡ ପଛରେ କିଏ, କେଉଁ କାରଣରୁ ଘଟିଲା ଏଭଳି ଜଘନ୍ୟ କାଣ୍ଡ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛି।