October 25, 2024

ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି : ବିଧାୟିକା ସୁରମା ପାଢ଼ୀ

1 min read

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପିର ବରିଷ୍ଠ ବିଧାୟିକା ସୁରମା ପାଢ଼ୀ। ଗୁରୁବାର ସେ ନିର୍ଦ୍ଵନ୍ଦ୍ଵରେ ବାଚସ୍ପତି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ସବୁ ଦଳର ବିଧାୟକ ତାଙ୍କୁ ସମର୍ଥନ କରିଥିଲେ। ଏହାପରେ ସେ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ଵ ବହନ କରିଛନ୍ତି। ବାଚସ୍ପତି ଭାବେ ଦାୟିତ୍ଵ ବହନ କରିବା ପରେ ବିଧାନସଭାରେ ସବୁ ଦଳର ନେତା ସୁରମା ପାଢ଼ୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଧାନସଭାକୁ ସରୁଖୁରୁରେ ଚଳାଇବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ବୁଧବାର ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ପାଢ଼ୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ତଥା ଦଳର ଅନ୍ୟ ବିଧାୟକମାନ ଯୋଗ ଦେଇଥିଲେ।

ସୁରମା ପାଢ଼ୀ ୨୦୦୪ ମସିହାରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ନୟାଗଡ଼ ଜିଲ୍ଲା ରଣପୁରରୁ ବିଧାୟିକା ହୋଇଥିଲେ। ସେ ବିଜେଡି-ବିଜେପି ମେଣ୍ଟ ସରକାରରେ ସମବାୟ ବିଭାଗର ମନ୍ତ୍ରୀ ରହିଥିଲେ। ଏହାପୂର୍ବରୁ ସେ ୧୯୯୮ ମସିହାରେ ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ଏହାସହ ସେ ୨୦୦୦ରୁ ୨୦୦୨ ଯାଏଁ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ରହିଥିଲେ।

Leave a Reply

Your email address will not be published. Required fields are marked *