October 22, 2024

୪ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ

1 min read

ବାଲେଶ୍ୱର : ଆଜି ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ଯାଏ ବାଲେଶ୍ୱର ସହରରେ କୋହଳ ହୋଇଛି କର୍ଫ୍ୟୁ । ସୋମବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଦୁଇ ଦିନ ହେବ ବାଲେଶ୍ୱରରେ କର୍ଫ୍ୟୁ ଜାରି ରହିଛି । ସୋମବାର ଦିନ ସହର ସାରା ପ୍ରଥମେ ୧୪୪ ଧାରା ଜାରି ହୋଇଥିଲା | କିନ୍ତୁ ମଧ୍ୟରାତ୍ରରୁ କର୍ଫ୍ୟୁ ଜାରି ହୋଇଛି | ଲୋକମାନେ ଘରେ ରହିଛନ୍ତି ବ୍ୟବସାୟ ବନ୍ଦ ରହିଛି । କିନ୍ତୁ ଅତି ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ପ୍ରଶାସନ ୪ ଘଂଟା ପାଇଁ ନିୟମ କୋହଳ କରିଛି । କଲେଜ, ସ୍କୁଲ ସମେତ ଅଙ୍ଗନବାଡି ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହି ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କର୍ଫ୍ୟୁ ସମୟରେ ଘରୁ ନବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି । ସହରରେ ସମସ୍ତେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବାଲେଶ୍ୱରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯାଇଛି ।

ପ୍ରଶାସନ ପକ୍ଷରୁ ବୁଧୁବାର ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ,ଆଇଜି ଦୀପକ କୁମାର,ଏଡିଜି ସଞ୍ଜୟ କୁମାର ବାଲେଶ୍ୱର ଏସପି ସାଗରୀକା ନାଥ ପ୍ରଭୁତି ଉପସ୍ଥିତ ଥିବାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ,ଡିଜିପି ଅରୁଣ ଷଡ଼ଙ୍ଗୀ,ବାଲେଶ୍ୱର ସଦର ବିଧାୟକ ମାନସ ଦତ୍ତ ପ୍ରମୁଖ ଯୋଡି ହୋଇଥିଲେ | ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବଂ ସମସ୍ତ ଅଧିକାରୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ସହରବାସୀଙ୍କୁ ନିବେଦନ କରିଥିଲେ |

ଅନ୍ୟପଟେ କର୍ଫ୍ୟୁକୁ କଳାବଜାରୀଙ୍କ ଦୌରାତ୍ମ୍ୟ ବଢିଛି | ମନ ଇଛା ବଢ଼ାଇ ଚାଲିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍। ଅପରପକ୍ଷେ ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ଗତ ୩ ଦିନ ହେଲା ଅକଳରେ ପଡ଼ିଯାଇଛନ୍ତି ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀ । ସୂଚନାନୁସାରେ,ସୋମବାର ଦିନ ସକାଳେ ବାଲେଶ୍ୱର ସଦର ସୁନହଟ ଅଂଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତିରେ ଉତେଜନା ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରଙ୍କୁ ଆକ୍ରମଣ କରିଛନ୍ତି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି । ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଂଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଥିଲେ ।

Leave a Reply

Your email address will not be published. Required fields are marked *