May 19, 2025

ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ନିର୍ବାଚିତ

1 min read

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସ୍‍ଆଇ) ଭୁବନେଶ୍ୱର ଚାପ୍ଟରର ୬ଷ୍ଠ ବାର୍ଷିକ ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଠାରେ ସର୍ବସମ୍ମତିକ୍ରମେ ପରବର୍ତ୍ତୀ ୨ ବର୍ଷ ପାଇଁ ଅନୁଷ୍ଠାନର ନୂଆ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଏହି ଯୁବସୁଲଭ ନୂଆ ଟିମ୍‍ର ନିର୍ବାଚନ ପିଆରଏସ୍‍ଆଇ ଭୁବନେଶ୍ୱରକୁ ଏକ ନୂତନ ଶିଖରକୁ ନେଇଯିବା ସହିତ ଓଡ଼ିଶାରେ ଲୋକସମ୍ପର୍କ ବୃତ୍ତିକୁ ଅଧିକ ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପାରାଦୀପ ଫସଫେଟସ୍‍ ଲିମିଟେଡର କର୍ପୋରେଟ ଆଫେୟାର୍ସ ମୁଖ୍ୟ ସୁଧି ରଂଜନ ମିଶ୍ର ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ନେତୃତ୍ୱ ନେବାର କୌଶଳ ଏବଂ ଶିଳ୍ପ ସମ୍ପର୍କରେ ତାଙ୍କର ଭଲ ଅଭିଜ୍ଞତା ରହିଛି।

“ପିଆରଏସ୍‍ଆଇ ଭୁବନେଶ୍ୱରର ନୂତନ ଟିମ୍‍ ରାଜ୍ୟରେ ଲୋକସମ୍ପର୍କର ବୃତ୍ତିଗତ ମାନରେ ଉନ୍ନତି କରିବା ଏବଂ ଶିଳ୍ପର ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ସହଭାଗୀତାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିବେ। ରାଜ୍ୟରେ ଅନେକ ଲୋକସମ୍ପର୍କ କେନ୍ଦ୍ରିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆମେ ପ୍ରୟାସ କରିବୁ”, କହିଛନ୍ତି ସୁଧିରଞ୍ଜନ ମିଶ୍ର।

ସେହିପରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱର ଲିମିଟେଡର ଡିଜିଏମ୍‍-କର୍ପୋରେଟ କମ୍ୟୁନିକେସନ ଡକ୍ଟର ସଞ୍ଜୟ କୁମାର ସାହୁ ପିଆରଏସ୍‍ଆଇ ଭୁବନେଶ୍ୱରର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏହାସହ ରିଲାଏନ୍ସ ଜିଓ ଇନ୍‍ଫୋକମ୍‍ ଲିମିଟେଡର ରାଜ୍ୟ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଷ୍ଠାନର ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।

ଅନ୍ୟପଟେ କଳିଙ୍ଗ ହସପିଟାଲ ଲିମିଟେଡର କର୍ପୋରେଟ କମ୍ୟୁନିକ୍ସେନ ମୁଖ୍ୟ ଅଂଶୁମାନ ପଟ୍ଟନାୟକ ପିଆରଏସ୍‍ଆଇ ଭୁବନେଶ୍ୱରର କୋଷାଧ୍ୟକ୍ଷ ଭାବରେ ଏବଂ ଓଡ଼ିଶା ଖଣି ନିଗମର ଡିଜିଏମ୍‍-କର୍ପୋରେଟ କମ୍ୟୁନିକେସନ ସନ୍ଦୀପ ସେଠୀ ଚାପ୍ଟରର ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।

ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନବଗଠିତ କାର୍ଯ୍ୟକାରୀ କମିଟିରେ ଶଶାଙ୍କ ପଟ୍ଟନାୟକ ଏବଂ ଅମରଜ୍ୟୋତି ମହାପାତ୍ରଙ୍କ ସହିତ ସମ୍ବିତ ମହାନ୍ତି, ଧରିତ୍ରୀ ଶତପଥୀ, ଦୀପାନ୍ୱିତା ମିଶ୍ର ଏବଂ ଡକ୍ଟର ଅନୁରାଗ ସାହୁ ପ୍ରମୁଖ ରହିଛନ୍ତି।