September 20, 2026

ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍

1 min read

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌ ସିରିଜ୍‌ ପାଇଁ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ପୁଡୁଚେରୀରେ ଆସନ୍ତା ୨୨ ସେପ୍ଟେମ୍ବରରୁ ଏହି ସିରିଜ୍‌ ଆରମ୍ଭ ହେବ।

ଭାରତ-ଏ ଓ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦୁଇଟି ଅନଅଫିସିଆଲ୍‌ ଟେଷ୍ଟ ଏବଂ ତିନୋଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। ଟେଷ୍ଟ ଦଳର ନେତୃତ୍ୱ ଦେବଦତ୍ତ ପଡିକଲଙ୍କ ହାତରେ ରହିଥିବା ବେଳେ ଦିନିକିଆ ଦଳର କ୍ୟାପ୍ଟେନ୍‌ ହେବେ ଋତୁରାଜ ଗାଏକ୍ୱାଡ୍‌ । ଉଭୟ ଫର୍ମାଟ୍‌ରେ ବାଲାଜୀ ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ତୁଲାଇବେ। ଲକ୍ଷ୍ମୀପତି ବାଲାଜୀଙ୍କର କୋଚିଂ କ୍ଷେତ୍ରରେ ମଧ୍ୟ ଭଲ ଅଭିଜ୍ଞତା ରହିଛି। ସେ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବା ସହ ଦଳର କୋଚିଂ ଷ୍ଟାଫ୍‌ର ଅଂଶ ମଧ୍ୟ ରହିଛନ୍ତି । ଏହାଛଡ଼ା ତାମିଲନାଡୁ ଦଳ ସହ ମଧ୍ୟ ସେ କୋଚ୍‌ ଭାବେ କାମ କରିଛନ୍ତି।

ରିପୋର୍ଟ ଅନୁସାରେ, ଏହି ମଲ୍ଟି-ଫର୍ମାଟ୍‌ ସିରିଜ୍‌ ପାଇଁ ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ କରାଯାଇଛି । ତେବେ ଆଗାମୀ ଦିନରେ ସେ ଭାରତ-ଏ ଦଳର କୋଚ୍‌ ଭାବେ ଜାରି ରହିବେ କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଆସିନାହିଁ । ଲକ୍ଷ୍ମୀପତି ବାଲାଜୀ ୨୦୦୨ରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ । ସେ ଭାରତ ପାଇଁ ୮ଟି ଟେଷ୍ଟ, ୩୦ଟି ODI ଏବଂ ୫ଟି T20I ମ୍ୟାଚ୍‌ ଖେଳିଛନ୍ତି।

ସ୍ୱିଙ୍ଗ୍‌ ବୋଲିଂ ଓ ସଠିକ୍‌ ଲାଇନ୍‌-ଲେନ୍ଥ ପାଇଁ ପରିଚିତ ବାଲାଜୀ ୨୦୦୪ର ପାକିସ୍ତାନ ଦୌରାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଆଇପିଏଲ୍‌ରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ ଏବଂ ପରେ ଦଳର ବୋଲିଂ କୋଚ୍‌ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଆଇପିଏଲ୍‌ ଇତିହାସର ପ୍ରଥମ ହ୍ୟାଟ୍ରିକ୍‌ ନେଇଥିବା ବୋଲର ଭାବେ ମଧ୍ୟ ବାଲାଜୀଙ୍କ ନାମ ରେକର୍ଡରେ ରହିଛି । ଆଇପିଏଲ୍‌ରେ ସେ ୭୩ଟି ମ୍ୟାଚ୍‌ ଖେଳି ୭୬ଟି ୱିକେଟ୍‌ ନେଇଛନ୍ତି ।