June 17, 2026

ଆସନ୍ତା ଜୁନ୍ ୨୦ ତାରିଖ (ଶନିବାର) ସ୍ଥାନୀୟ ଛୁଟି ଘୋଷଣା

1 min read

ସମ୍ବଲପୁର, ୧୭/୬ : ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ୍ରମେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) କାର୍ଯ୍ୟାଳୟ ପକ୍ଷରୁ ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ସ୍ଥାନୀୟ ଛୁଟି ତାଲିକା ଘୋଷଣା କରାଯାଇଛି। ଜାନୁଆରି ୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସମ୍ବଲପୁର ଡିଭିଜନ ଅଧୀନରେ ଥିବା ବିଭିନ୍ନ ଉପଖଣ୍ଡ ପାଇଁ ସ୍ଥାନୀୟ ଛୁଟି ନିର୍ଦ୍ଧାରଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲାର ସମ୍ବଲପୁର ଉପଖଣ୍ଡରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଆସନ୍ତା ଜୁନ୍ ୨୦ ତାରିଖ (ଶନିବାର) ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏହିଦିନ ସମ୍ବଲପୁର ଉପଖଣ୍ଡର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ସେହିପରି କୁଚିଣ୍ଡା ଉପଖଣ୍ଡରେ ଦଶହରା ବିଜୟା ଦଶମୀର ପରଦିନ, ଅର୍ଥାତ ଅକ୍ଟୋବର ୨୧ ତାରିଖ (ବୁଧବାର) ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏହାଛଡ଼ା ରେଢ଼ାଖୋଲ ଉପଖଣ୍ଡରେ ବଡ଼ ଓଷା ଉପଲକ୍ଷେ ନଭେମ୍ବର ୨୩ ତାରିଖ (ସୋମବାର) ସ୍ଥାନୀୟ ଛୁଟି ପାଳନ କରାଯିବ।

ଆରଡିସିଙ୍କ ଆଦେଶକ୍ରମେ ପ୍ରକାଶିତ ଏହି ବିଜ୍ଞପ୍ତି ଅନୁଯାୟୀ, ନିର୍ଦ୍ଧାରିତ ଛୁଟି ଦିନଗୁଡ଼ିକରେ ସମ୍ପୃକ୍ତ ଉପଖଣ୍ଡ ଅଧୀନର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

ଶୀତଳ ଷଷ୍ଠୀ ଯାତ୍ରା ସମ୍ବଲପୁରର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ପର୍ବ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଛୁଟି ଘୋଷଣା କରାଯାଇଥିବା ଜଣାପଡ଼ିଛି।