ଭୋଟରଙ୍କ ମଧ୍ୟ ତୀବ୍ର ଅସନ୍ତୋଷ
1 min read
ପୁରୁଷୋତ୍ତମପୁର,୧୭ା୬: ସରକାର ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ସହ ଠିକ୍ସମୟରେ ନୂତନ ଭୋଟରଙ୍କ ନାମ ଯୋଡ଼ିବା ଓ ମୃତ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍ ଦେବା ଆଦି କାର୍ଯ୍ୟ ପାଇଁ ହଜାର ହଜାର ଟଙ୍କା ପାରିଶ୍ରମିକ ଦେଇ ବିଏଲଓମାନଙ୍କୁ ନିଯୁକ୍ତି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏହି ବିଏଲଓମାନେ କୌଣସି ତଥ୍ୟ ସଂଗ୍ରହ ନ କରି ଭୋଟରଙ୍କ ସର୍ଭେ ନ କରି ନିଜ ଇଚ୍ଛା ମୁତାବକ ଭାବରେ ଭୋଟର ତାଲିକା ପ୍ରସ୍ତୁତ କରି ପଠାଇଥିବା ହେତୁ ବହୁଭୋଟର ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଯାହାକି ଗତ ପୌର ନିର୍ବାଚନ ଓ ସାଧାରଣ ନିର୍ବାଚନରେ ବ୍ୟକ୍ତିମାନେ ଭୋଟ୍ ଦେଇଥିବା ବେଳେ ସେମାନ ନିଜ ନିଜ ଅଞ୍ଚଳ ବାସସ୍ଥାନରେ ରହି ସରକାରୀ ସୁବିଧା ପାଇବାରେ ଲାଗିଛନ୍ତି।
ଅପରପକ୍ଷରେ କିଛି ବ୍ୟକ୍ତି ପେଟ ପୋଷିବା ଲାଗି ବାହାରକୁ ମଜୁରି ଖଟିବାକୁ ଯାଇଥିବା ବେଳେ ସେହି ପରିବାରଙ୍କଠାରୁ କୌଣସି ତଥ୍ୟ ନ ଆଣି, ନ ପଚାରି ବିଏଲଓମାନେ ମନଇଚ୍ଛାରେ ଭୋଟର ତାଲିକାରୁ ନାମକୁ ବାଦ୍ ଦେଇଛନ୍ତି। ଯାହାଦ୍ବାରା ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଏଏସ୍ଆଇଆର ପ୍ରକ୍ରିୟା ଚାଲିଥିବାକୁ ନେଇ ଭୋଟରମାନେ ବିଏଲ୍ଓଙ୍କ ନିକଟକୁ ଯାଇ ଫର୍ମ ମାଗିବାବେଳେ ସେମାନଙ୍କ ନାମ ଭୋଟର ତାଲିକାରୁ କଟିଯାଇଥିବାର ଜାଣିବାକୁ ପାଇଛନ୍ତି। ଏହାକୁ ନେଇ ଭୋଟରଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେଉଁ କାରଣ ଯୋଗୁ ନାମ କଟିଛି, କିପରି ସେମାନେ ସରକାରଙ୍କ ଏସ୍ଆଇଆର୍ ପ୍ରକ୍ରିୟାରେ ସାମିଲ ହେବେ ସେଥିନେଇ ଚିନ୍ତାରେ ପଡ଼ିଛନ୍ତି ଭୋଟର। ଏଣୁ ତୁରନ୍ତ ପ୍ରଶାସନ ଏହାର ତଦନ୍ତ କରି ଏପରି କାର୍ଯ୍ୟ କରି ଭୋଟରଙ୍କୁ ଏସ୍ଆଇଆର୍ରୁ ବଞ୍ଚିତ କରାଇଥିବା ବିଏଲ୍ଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ନାମକୁ ପୁନଃ ଭୋଟର ଲିଷ୍ଟରେ ତାଲିକାଭୁକ୍ତ କରିବାକୁ ଦାବି ହୋଇଛି।


