ରଥ ନିର୍ମାଣ କାର୍ଯ୍ୟ ୫୭ ଦିନରେ ପହଞ୍ଚିଛି
1 min read
ପୁରୀ: ରଥ ନିର୍ମାଣ କାର୍ଯ୍ୟ ୫୭ ଦିନରେ ପହଞ୍ଚିଛି। ଆଜି ତିନିରଥ ଉପରେ ପ୍ରଥମ ଭୂଇଁ ପଡ଼ି ମୂଳ କଇଞ୍ଚି ପକାଯାଇଛି। ଏହି କଇଞ୍ଚି ଭୂଇଁକୁ ମଜଭୁତ କରି ରଖିଥାଏ। ଏଥିସହ ରଥ ଚାଳିରେ ମହାରଣା ସେବକମାନେ ୧୩ ପରସ୍ତ ପୋଟଳର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ପାରାଭାଡ଼ି କାର୍ଯ୍ୟ ସରିବା ପରେ ପୋଟଳ ସଂଯୋଗ ହେବ। ଏଥିସହିତ ପଛ ଡମକ କାର୍ଯ୍ୟ ଶେଷ ହୋଇଛି। ରଥରେ ପଟାବାଡ଼ିଆ କାର୍ଯ୍ୟ କରାଯାଉଛି। ଗତକାଲି ଦୁଆର ବେଢ଼ା ପାଇଁ ୮ ଟି ଲେଖାଏଁ ଗାରେଡ଼ି ଏବଂ ୪ ଗୋଟି ଲେଖାଏଁ ଅଁଳା ନିର୍ମାଣ ଶେଷ ହୋଇଛି। ଘୋଡ଼ା ସେଟିଂ ପାଇଁ ତିନିରଥ ସମ୍ମୁଖ ଭାଗ ନିରାଡ଼ି ତଳ ଭାଗରେ ଗୋଟିଏ ଲେଖାଏଁ ଚାର ପରିଛା ଫିଟିଂ ସହ କଣ୍ଟା ପଡ଼ିବା ଶେଷ ହୋଇଛି।
ରୂପକାର ସେବକ ଗୋଟିଏ ଲେଖାଏଁ ଚାର ପରିଛାରେ ପଦ୍ମଫୁଲ, ମୟୂର ଓ ଡାଳିଲତା ଖୋଦେଇ ଶେଷ କରିଛନ୍ତି। ଖୋଦେଇ ଶେଷ ହେବା ପରେ ଭୋଇ ସେବକମାନେ ଫିଟିଂ ପାଇଁ ଯୋଗାଇ ଦେଇଛନ୍ତି। ଦୁଆର ବେଢ଼ା ପାଇଁ ନାଟ ଗୋଡ଼ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରି ରହିଛି। ଚିତ୍ରକାର ସେବକ ପାର୍ଶ୍ୱ ଦେବଦେବୀମାନଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ଅଂଶ ଯଥା ଚକ, କୋଣ ଗୁଜ, ପଟା ଗୁଜ ଇତ୍ୟାଦିରେ ଧଳା ପ୍ରାଇମର୍ ଦେଉଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଓ ଓଲଟ ଶୁଆ ଫିଟିଙ୍ଗ ପାଇଁ ନରାଜ କଣ୍ଟା ନିର୍ମାଣ କରୁଛନ୍ତି। ପାହି ମହାରଣାମାନେ ରଥଯାତ୍ରା ନିମନ୍ତେ ସେବା ପୂଜା ପାଇଁ କାଠ ସରଞ୍ଜାମ ନିର୍ମାଣ କରୁଛନ୍ତି।


