ପାକିସ୍ତାନକୁ ଘେରିବା ଲାଗି ଭାରତ ଏକାଧିକ ରଣନୀତି ପ୍ରସ୍ତୁତି
1 min read
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନକୁ ଘେରିବା ଲାଗି ଭାରତ ଏକାଧିକ ରଣନୀତି ପ୍ରସ୍ତୁତି ଚଳାଇଛି। ପାକିସ୍ତାନ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ ପୂର୍ବରୁ ଭାରତ କୂଟନୈତିକ ଆକ୍ରମଣ ଚଳାଇଛି। କୂଟନୈତିକ ଆକ୍ରମଣ ପୂର୍ବକ ପାକିସ୍ତାନ ସହିତ ଭାରତ କରିଥିବା ସିନ୍ଧୁ ଜଳ ରାଜିନାମାକୁ ସ୍ଥଗିତ ରଖିଛି। ଏହା ସହିତ ପାକିସ୍ତାନ ନାଗରିକଙ୍କ ସମସ୍ତ ପ୍ରକାର ଭିସାକୁ ଭାରତ ରଦ୍ଦ କରିଛି। ଅଟାରୀ-ୱାଘା ସମନ୍ବିତ ଚେକ୍ ପୋଷ୍ଟ ଦେଇ ଦୁଇଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ କାରବାର, ନାଗରିକଙ୍କ ଯିବା ଆସିବାକୁ ବନ୍ଦ କରାଯାଇଛି। ସେହିପରି ପାକିସ୍ତାନ ଉଚ୍ଚାୟୁକ୍ତ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ନିର୍ଦେଶ ଦିଆଯାଇଛି। ଏହିସବୁ କୂଟନୈତିକ ଆକ୍ରମଣ ପରେ ଭାରତ ଏବେ ପାକିସ୍ତାନ ବିରୋଧରେ କାବୁଲ କୂଟନୀତି ଆରମ୍ଭ କରିଛି। ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାରକୁ ଆଧାର କରି ଭାରତ ଏବେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛି। ଆଫଗାନିସ୍ତାନରେ ସକ୍ରିୟ ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନ ଉପରେ ନିୟମିତ ଆକ୍ରମଣ ଚଳାଇଥିବାବେଳେ ଭାରତ ଏବେ ଏହି ତାଲିବାନଙ୍କ ପକ୍ଷ ନେଇଛି। ଏହା ସହିତ ପାକିସ୍ତାନ ସହିତ ତାଲିବାନ ସରକାରର ତିକ୍ତତା ବୃଦ୍ଧି ପାଇଛି। ଏଥିପାଇଁ ତାଲିବାନ ସରକାର ପହଲଗାଓଁ ଆକ୍ରମଣକୁ ନିନ୍ଦା କରିଥିଲା। ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ପୂର୍ବକ ଆଫଗାନିସ୍ତାନ ସରକାର ନୂଆଦିଲ୍ଲୀ ସହିତ ସମ୍ପର୍କରେ ଉନ୍ନତି ଆଣିବାକୁ ମଧ୍ୟ ଉଦ୍ୟମ କରିଛି। ଏହିସବୁକୁ ଦୃଷ୍ଟିରେ ରଖି ଭାରତର ଏକ ପ୍ରତିନିଧି ଦଳ ସୋମବାର କାବୁଲ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳ ତାଲିବାନ ସରକାର ବରିଷ୍ଠ ନେତୃମଣ୍ଡଳୀଙ୍କୁ ଭେଟି ଆଞ୍ଚଳିକ ପରିସ୍ଥିତି ବାବଦରେ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ପାକିସ୍ତାନକୁ ଘେରିବା ଲାଗି ଭାରତ ଏହାର ରଣନୀତି ସମ୍ପର୍କରେ କହିଥିବା ଜଣାଯାଇଛି। ପହଲଗାଓଁ ଘଟଣା ପରେ ଭାରତ ପଟୁ ବଡ ଧରଣର ଆକ୍ରମଣ ଆଶଙ୍କା କରି ପାକିସ୍ତାନ ଅନେକ ପଦକ୍ଷେପ ନେଉଛି। ପାକିସ୍ତାନ ପହଲଗାଓଁ ଆକ୍ରମଣର ଆନ୍ତର୍ଜାତିକ ତଦନ୍ତ ଦାବି କରିବା ସହିତ ଏହାର ପ୍ରାୟୋଜିତ ଆତଙ୍କବାଦୀଙ୍କୁ ବଙ୍କରେ ଲୁଚାଇ ରଖିଛି। ଏବେ ଯଦି ଆଫଗାନିସ୍ତାନ ନୂଆଦିଲ୍ଲୀ ସପକ୍ଷରେ ବାହାରିବ ତେବେ ପାକିସ୍ତାନ ଆହୁରି ବିଚଳିତ ହୋଇପଡିବ।