July 4, 2026

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା

1 min read

ଭୁବନେଶ୍ବର: ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ ଉପରେ ଥିବା ଲଘୁଚାପ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାଖାପାଖି ଅଞ୍ଚଳ ଉପରେ ରହିଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଜୁଲାଇ ୪ରେ ଦକ୍ଷିଣ ଓଡ଼ିଶାର ୪ଟି ଓ ୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ପଥର ଧସିବା, ସହରାଞ୍ଚଳରେ ଜଳବନ୍ଦ ଓ ଟ୍ରାଫିକ୍‌ ସମସ୍ୟା ଉପୁଜିପାରେ। ପ୍ରବଳ ବର୍ଷା ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଇପା‌ରେ। ମାଟି ଘର ସହ ଚାଷ ପ୍ରଭାବିତ ଓ ନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ପ୍ରକାଶ ପାଇଛି। ତାହାକୁ ନଜରରେ ରଖି ଏସ୍‌ଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାକୁ ସତର୍କ କରାଯିବା ସହ ମୁକାବିଲା ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା‌ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ହୋଇଛି। ଏଥିସହ ପାରାଦୀପ ଓ ଧାମରା ବନ୍ଦରରେ ୩ ନମ୍ବର ସଙ୍କେତ ଜାରି କରାଯାଇଛି।