ଆଇଆଇଏମ୍ସି ଢେଙ୍କାନାଳ ପକ୍ଷରୁ ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ କ୍ୟାରିୟର ସୁଯୋଗ’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
1 min read
ଢେଙ୍କାନାଳ: ଆଇଆଇଏମ୍ସି ଢେଙ୍କାନାଳ ଏବଂ ଢେଙ୍କାନାଳ ବଣସିଂହସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ କ୍ୟାରିୟର ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ବଣସିଂହ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଆଇଆଇଏମ୍ସି ଢେଙ୍କାନାଳର ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ଗଣମାଧ୍ୟମ, ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ ଥିବା କ୍ୟାରିୟର ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ଏହାସହ ଆଇଆଇଏମ୍ସି ଢେଙ୍କାନାଳର ‘ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ’ ଚଳିତ ବର୍ଷ ୨୫ ବର୍ଷ ପୂରଣ କରିବାକୁ ଯାଉଛି। ଏଣୁ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ବିଭିନ୍ନ ଦିଗ ତଥା କ୍ୟାରିୟର ସୁଯୋଗ ଏବଂ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସେହିପରି ସାମ୍ବାଦିକତା, ଲୋକସମ୍ପର୍କ, କର୍ପୋରେଟ୍ ଯୋଗାଯୋଗ, ସରକାରୀ କ୍ଷେତ୍ର ଆଦିରେ ରହିଥିବା ସୁଯୋଗ ଉପରେ ବିସ୍ତୃତ ଭାବେ କାର୍ଯ୍ୟକ୍ରମରେ ଉପସ୍ଥାପନ କରାଯାଇଥିଲା। ଆଇଆଇଏମ୍ସି ଢେଙ୍କାନାଳ ଇଂରାଜୀ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ସେଠ୍, ଓଡ଼ିଆ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ଚିରସ୍ରୋତା ଜେନା ଓ ଆକାଡେମିକ ଆସୋସିଏଟ୍ ସୌମ୍ୟରଞ୍ଜନ ବିହାରା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।
ବଣସିଂହ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାସହ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ସତ୍ୟଶଙ୍କର ଦାସ, ଅଧ୍ୟାପକ ଡକ୍ଟର ବଟକୃଷ୍ଣ ଦାସ, ଡକ୍ଟର ନିରାକର ଆଚାର୍ଯ୍ୟ, ଅଧ୍ୟାପିକା ଡକ୍ଟର ଭାଗ୍ୟଶ୍ରୀ ମହାନ୍ତି, ବୈଶାଖୀ ସାହାଣୀ, ସୁଚିସ୍ମିତା ସାହୁ, ଶୁଭ ସ୍ୱପ୍ନା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବଣସିଂହ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ତୃତୀୟ ବର୍ଷର ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।