March 16, 2026

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ଆଜି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

1 min read

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ଆହୁରି ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଶନିବାର ବର୍ଷା ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶନିବାର ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜ ସାମିଲ ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିବାର ମଧ୍ୟ ଆଶଙ୍କା ଥିବାରୁ ସତର୍କ କରାଯାଇଛି। ଏଥିଲାଗି ଲୋକମାନଙ୍କୁ ସୁରକ୍ଷିତ ଭାବେ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୮.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କଟକ ଜିଲ୍ଲାର ବାଙ୍କୀରେ ସର୍ବାଧିକ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏବେ ଓଡ଼ିଶାରେ ମୌସୁମୀ ସକ୍ରିୟ ରହିଥିବାବେଳେ ଲଘୁଚାପର ପ୍ରଭାବ ରାଜ୍ୟରେ ଅଧିକ ରହିବାର ସମ୍ଭାବନା ରହିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥିଲା। ଏହା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮୦.୫ ମିଲିମିଟର ହୋଇଛି, ଯାହାକି ସ୍ଵାଭାବିକଠାରୁ ୧୦ ପ୍ରତିଶତ କମ୍ ରହିଛି। ମାଲକାନଗିରି, ବୌଦ୍ଧ ଓ ନୂଆପଡ଼ାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ରାଜ୍ୟର ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।

Leave a Reply

Your email address will not be published. Required fields are marked *