ପଶ୍ଚିମ ଓଡ଼ିଶାରେ ହାତୀ ଉପଦ୍ରବ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି
1 min read
ରାଉରକେଲା : ପଶ୍ଚିମ ଓଡ଼ିଶାରେ ହାତୀ ଉପଦ୍ରବ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ହାତୀ ଆକ୍ରମଣ ଯୋଗୁ ନିୟମିତ ବ୍ୟବଧାନରେ ଲୋକ ମୃତ୍ୟୁବରଣ କରିବା ସହ ବାସଗୃହ, ଚାଷ ଜମି ନଷ୍ଟ ହେଉଛି। ଗତ ତିନି ବର୍ଷ, ଅର୍ଥାତ୍ ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ରେ ପଶ୍ଚିମ ଓଡ଼ିଶାର ୧୬ଟି ବନଖଣ୍ଡରେ ହାତୀ ଆକ୍ରମଣ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଯେଉଁଥିରେ ସୁନ୍ଦରଗଡ଼ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ହାତୀ ଆକ୍ରମଣରେ ୧୫୩ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଜନବସତି ମଧ୍ୟକୁ ହାତୀପଲ ପଶିଆସିବା ଯୋଗୁଁ ଲୋକଙ୍କ ଆଶ୍ରୟସ୍ଥଳୀ ଉଜୁଡ଼ି ଯାଇଛି। ଏଥିରେ ପ୍ରାୟ ୧,୭୯୪ଟି ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪୫୯ଟି ଘର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି। ଏହାସହ ହାତୀପଲ ପ୍ରାୟ ୧୫,୬୪୮.୧୬ ଏକର ଚାଷଜମି ନଷ୍ଟ କରିଛନ୍ତି।
ଚାଷକାର୍ଯ୍ୟ ଗୁରୁତର ପ୍ରଭାବିତ
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ତିନି ବନଖଣ୍ଡ, ଯଥା ରାଉରକେଲା, ବଣାଇ ଓ ସୁନ୍ଦରଗଡ଼ରେ ମୋଟ୍ ୮୧ ଜଣଙ୍କ ମୃତ୍ୟୁ ଘଟିଛି। ରାଉରକେଲା ବନଖଣ୍ଡରେ ସର୍ବାଧିକ ୩୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବଣାଇରେ ୩୨ ଓ ସୁନ୍ଦରଗଡ଼ରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏତଦ୍ବ୍ୟତୀତ, ହାତୀ ଆକ୍ରମଣ ଯୋଗୁ ୨୪୧ଟି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିବାବେଳେ ୧୨୫୯ ଘର ଆଂଶିକ କ୍ଷତି ଓ ୨୭୨୧.୧ ଏକର ଫସଲ ଜମି ନଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ବନଖଣ୍ଡ, ଯଥା- ବାମରାରେ ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡ଼ରେ ୭, ବଲାଙ୍ଗୀରରେ ୯, ବୌଦ୍ଧରେ ୩, ଦେବଗଡ଼ରେ ୧୪, ଝାରସୁଗୁଡ଼ା ୪, ଉତ୍ତର କଳାହାଣ୍ଡିରେ ୪, ଦକ୍ଷିଣ କଳାହାଣ୍ଡିରେ ୬, ରେଢାଖୋଲରେ ୪, ସମ୍ବଲପୁରରେ ୧୭ ଓ ସୋନପୁରରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଭଳି ଜଙ୍ଗଲଘେରା ଅଞ୍ଚଳରେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ବଡ଼ ସଙ୍କଟ ପାଲଟିଛି, ଯାହା ସେମାନଙ୍କର ଦୈନନ୍ଦିନ ଜୀବନଯାପନକୁ ବିପର୍ଯ୍ୟସ୍ତ କରିଦେଇଛି। ଜୀବନ ଓ ସମ୍ପତ୍ତି ହରାଇବା ସହ ଏହି ଅଞ୍ଚଳର ଆର୍ଥିକ ମେରୁଦଣ୍ଡ କୁହାଯାଉଥିବା ଚାଷକାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପଶ୍ଚିମ ଓଡ଼ିଶାରେ ଦିନକୁ ଦିନ ବଢ଼ୁଥିବା ଏହି ହାତୀ-ମଣିଷ ଲଢ଼େଇ ରୋକିବାକୁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।


