August 13, 2026

କେମୋଥେରାପି ନେଉଥିବା କର୍କଟ ରୋଗୀଙ୍କ ଜୀବନ ପ୍ରତି ବିପଦ ମାଡ଼ି ଆସୁଛି

1 min read

ସମ୍ବଲପୁର: କେମୋଥେରାପି ନେଉଥିବା କର୍କଟ ରୋଗୀଙ୍କ ଜୀବନ ପ୍ରତି ବିପଦ ମାଡ଼ି ଆସୁଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମସାର)ରେ ମିଳୁନି କର୍କଟ ରୋଗୀଙ୍କ ଜୀବନ ରକ୍ଷାକାରୀ କେମୋଥେରାପି ଔଷଧ ସିସ୍ ପ୍ଲାଟିନ୍ ଓ କାର୍ବୋ ପ୍ଲାଟିନ୍‌। ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଏହାର ଯୋଗାଣ ବନ୍ଦ ଥିବା ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ କହାଯାଉଛି। କିନ୍ତୁ ଖୋଲା ବଜାରରେ ଗୋଟିଏ ଔଷଧ ପିଛା ୪-୫ ହଜାର ଟଙ୍କାରେ ବିକ୍ରି ହେଉଛି। ଏଥିଯୋଗୁଁ ରୋଗୀଙ୍କ ଦୁଃଖ କାହିଁରେ କେତେ ବଢ଼ିଯାଇଛି।

ଖୋଲା ବଜାରରେ ସୀମିତ ଷ୍ଟକ୍‌
ଭିମସାର୍‌ରେ କେମୋଥେରାପି ନେଉଥିବା କର୍କଟ ଆକ୍ରାନ୍ତ ଜଣେ ମହିଳା ଶ୍ରମିକ କହିଛନ୍ତି, ତାଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ଯେ କେବଳ ସ୍ବାସ୍ଥ୍ୟ କାର୍ଡ ଯୋଗୁଁ ତାଙ୍କର ଚିକିତ୍ସା ସମ୍ଭବ ହେଉଛି। ଏଣେ କେମୋଥେରାପି ପାଇଁ ଡାକ୍ତରଖାନା ପକ୍ଷରୁ ମାଗଣାରେ ମିଳୁଥିବା ସିସ୍ପ୍ଲାଟିନ୍ ଓ କାର୍ବୋପ୍ଲାଟିନ୍‌ ଆଉ ଡାକ୍ତରଖାନାରେ ଉପଲବ୍ଧ ନାହିଁ। କିଛିଦିନ ପୂର୍ବରୁ ସେ ଖୋଲାବଜାରରେ କାର୍ବୋପ୍ଲାଟିନ ପାଇଁ ୩୫୦୦ ଏବଂ ଆଜି ସିସ୍ପ୍ଲାଟିନ୍ ପାଇଁ ୪୫୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ଡାକ୍ତରଖାନା ପକ୍ଷରୁ ତାଙ୍କୁ ୬ କେମୋ ନେବା ପାଇଁ କୁହାଯାଇଛି। ପ୍ରତିଥର ଏତେ ଟଙ୍କା ଖର୍ଚ୍ଚ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟରେ ସର୍ବାଧିକ କର୍କଟ ରୋଗୀଙ୍କ ମଧ୍ୟରେ ରହିଛି ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା। ଭିମସାର୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ବୁର୍ଲା ବଡ଼ଡାକ୍ତରଖାନାରେ ପ୍ରତି ମାସରେ ୫୦୦ରୁ ଅଧିକ ରୋଗୀ କେମୋଥେରାପି ନେଇଥାଆନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଅତି ଗରିବ କିମ୍ବା ନିମ୍ନମଧ୍ୟବିତ୍ତ ଅଟନ୍ତି। ପ୍ରାୟ ୨ ମାସରୁ ଅଧିକ ସମୟ ହେଲା, ଓଏସ୍‌ଏମ୍‌ସିଏଲ୍‌ ଭିମସାର୍‌କୁ କେମୋଥେରାପି ନେଉଥିବା ରୋଗୀଙ୍କୁ ସିସ୍‌ପ୍ଲାଟିନ୍ ଓ କାର୍ବୋପ୍ଲାଟିନ୍‌ ଔଷଧ ଦେଇପାରୁ ନାହିଁ। ଫଳରେ କେମୋଥେରାପି ଯେଉଁ ଉଦ୍ଦେଶ୍ୟରେ ଦିଆଯାଉଛି, ତାହା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉ ନାହିଁ। କିଛି ଡାକ୍ତରଙ୍କ ଅନୁସାରେ, ବର୍ତ୍ତମାନ ଖୋଲା ବଜାରରେ ଏହାର ସୀମିତ ଷ୍ଟକ ରହିଛି। ଯାହା ଖୁବ୍‌ ଶୀଘ୍ର ଶେଷ ହେବା ଆଶଙ୍କା କରାଯାଉଛି। ତେଣୁ ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଅବସ୍ଥା ଆହୁରି ସାଂଘାତିକ ହେବ