ଜନଗଣନା କାର୍ଯ୍ୟ କରୁଥିବାବେଳେ ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ
1 min read
ଅମରପାଲି: ଜନଗଣନା କାର୍ଯ୍ୟ କରୁଥିବାବେଳେ ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ କ୍ଲଷ୍ଟର ସୁନାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଂଶୀଧର ଭୋଇ(୫୫)। ରବିବାର ସତ୍ତ୍ୱେ ବଂଶୀଧର ସରକାରଙ୍କ ନିର୍ଦ୍ଦେଶମତେ ଜନଗଣନା କାର୍ଯ୍ୟ କରିବାକୁ ଯାଇଥିଲେ। ବଂଶୀଧର ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ଅନ୍ତର୍ଗତ ବମରାଜ ଗ୍ରାମର ଅଟନ୍ତି। ସେ ଆଜକୁ ପାଞ୍ଚ ବର୍ଷ ହେଲା ସୁନାପାଲି ୟୁପି ସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ଜନଗଣନା ପାଇଁ ତାଙ୍କୁ କୋଟସମଲାଇ ପଞ୍ଚାୟତର ସୁନାପାଲି ସମେତ ଜଉଁରା ଭଉଁରା ପଞ୍ଚାୟତ ପୁଡ଼ାମାଲ ଓ ଧଉରାଦାଦର ଗ୍ରାମର ଦାୟିତ୍ୱ ଦିଆଯାଇଥିଲା।
ପରିବାର ଲୋକଙ୍କ କହିବା ଅନୁସାରେ, ରବିବାର ପୂର୍ବାହ୍ନରେ ସେ ଘରୁ ବାହାରି ସୁନାପାଲିକୁ ଜନଗଣନା କାର୍ଯ୍ୟ ପାଇଁ ଯାଇଥିଲେ। ତେବେ ସେଠାରେ ଅସୁସ୍ଥତା ଅନୁଭବ କରିବାକୁ ଘରକୁ ଆସିଥିଲେ। ତାଙ୍କୁ ତୁରନ୍ତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ରେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ କରିଥିଲେ। ତାଙ୍କୁ ସୋନପୁର ମେଡିକାଲ ନେବାକୁ ବାହାରିଲା ବେଳକୁ ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ମୃତଦେହକୁ ବୀରମହାରାଜପୁର ଚିକିତ୍ସାଳୟରେ ରଖାଯାଇଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ବଂଶୀଧରଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ତାଙ୍କ ସ୍ତ୍ରୀ ବାସନ୍ତୀ ଅଭିଯୋଗ କରୁଛନ୍ତି। ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡା. ସୁବାସ ପଣ୍ଡାଙ୍କୁ ଯୋଗାଯୋଗ କରିବାକୁ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି। ସମ୍ପ୍ରତି ସୁବର୍ଣ୍ଣପୁର ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ସ୍କୁଲ,କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ଏପରିକି ଶ୍ରମିକମାନଙ୍କୁ ମଧ୍ୟ ସରକାର ଦିନ ୧୧ ପରେ କାମ କରିବାକୁ ମନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏତେ ଖରାରେ ଶିକ୍ଷକମାନେ କାହା ନିର୍ଦ୍ଦେଶରେ ଜନଗଣନା କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ଏବେ ତଦନ୍ତ ସାପେକ୍ଷ ହୋଇପଡ଼ିଛି। ମୃତ ଶିକ୍ଷକ ଜଣକଙ୍କ ପରିବାରରେ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ସହିତ ଯୁକ୍ତ ତିନି ଓ ସପ୍ତମ ପଢୁଥିବା ଦୁଇ ଝିଅ ଅଛନ୍ତି। ଏବେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଶିକ୍ଷକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।


