September 1, 2025

ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ୨ଭାଇଙ୍କ ପାଇଁ ପରିବାର ଗର୍ବିତ

1 min read

ବରଗଡ଼: ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୨ କାଳୀ ମନ୍ଦିର ପଡ଼ାର ସ୍ବର୍ଗତ ଝୁନୁ ପ୍ରଧାନ ଓ କବି ପ୍ରଧାନଙ୍କ ବଡ଼ପୁଅ ରଞ୍ଜନ ଏବଂ ସାନପୁଅ ନିଲାଞ୍ଚଳ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ। ସେମାନେ ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଉଭୟ ଭାଇଙ୍କ ସମେତ ଦେଶର ସଫଳତା ପାଇଁ ଘରେ ଗତ ୮ଦିନ ହେଲା ପୂଜାପାଠ ଚାଲିଥିଲା। ଯୁଦ୍ଧ ସ୍ଥିତିକୁ ନେଇ ପରିବାର ଲୋକେ ଆଦୌ ବିଚଳିତ ନୁହଁନ୍ତି, ବରଂ ବହୁତ ଗର୍ବ ଅନୁଭବ କରୁଛନ୍ତି ବୋଲି ମଝିଆ ଭାଇ ସିଲୁ କହିଛନ୍ତି।
୨୦୧୩ ମସିହାରୁ ସେ ସେନାବାହିନୀରେ ଯୋଗଦେଇଥିବା ନିଲାଞ୍ଚଳ ଶ୍ରୀନଗର କୁପୁକୁଡ଼ା ଏଏମସି(ଆର୍ମି ମେଡ଼ିକାଲ କ୍ରୋପ୍‌)ରେ କାର୍ଯ୍ୟରତ ଅଛନ୍ତି। ଏଠାରେ ତାଙ୍କ ସ୍ତ୍ରୀ ସୁନୀତା ଏବଂ ଶିଶୁପୁତ୍ର ନିଶାନ୍‌(୩ବର୍ଷ) ଅଛନ୍ତି। ଗତ ଡିସେମ୍ବର ମାସରେ ଧନୁଯାତ୍ରା ଚାଲିଥିବାବେଳେ ଦେଢ଼ମାସର ଛୁଟି ନେଇ ସେ ଘରକୁ ଆସିଥିଲେ। ପୁଣି ଆସିବା ପାଇଁ ସେ ଛୁଟି ମାଗିଥିଲେ ଏବଂ ଶନିବାର(୧୦।୫।୨୦୨୫) ଘରକୁ ଆସିବାର ଥିଲା। ମାତ୍ର ଭାରତ-ପାକିସ୍ଥାନ ଉତ୍ତେଜନା ମଧ୍ୟରେ ତାଙ୍କ ଛୁଟି ବାତିଲ୍‌ ହୋଇ ଯାଇଥିଲା। ଗତ ୪ଦିନ ତଳେ ସୀମାବର୍ତ୍ତୀ ଅଞ୍ଚଳରେ ଉଡ଼ୁଥିବା ପାକିସ୍ଥାନ ଝଣ୍ଡାକୁ ଓଲଟାଇ ଦେଇଥିଲୁ ଏବଂ ଯୁଦ୍ଧକ୍ଷେତ୍ରରେ ପାକିସ୍ଥାନ ବହୁତ ପଛରେ ଅଛି ବୋଲି ବୋଲି ଶୁକ୍ରବାର ଫୋନ୍‌ଯୋଗେ ସାନଭାଇ ନିଲାଞ୍ଚଳ ତାଙ୍କୁ କହିଥିଲେ ବୋଲି ସିଲୁ ପ୍ରକାଶ କରିଛନ୍ତି।
ସେହିପରି ବଡ଼ଭାଇ ରଞ୍ଜନ ୨୦୧୭ ମସିହାରୁ ସଶସ୍ତ୍ର ସୀମାବଳ(ଏସଏସବି)ରେ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶର ଗୋରେଖପୁରରେ ସେ ପ୍ରଥମେ ଅବସ୍ଥାପିତ ଥିଲେ। ଏବେ ବିହାରର ମୁଜାଫରନଗରରେ କାର୍ଯ୍ୟରତ ଅଛନ୍ତି। ଡାକରା ଆସିଲେ ଯୁଦ୍ଧକ୍ଷେତ୍ରକୁ ଯିବା ଲାଗି ପ୍ରସ୍ତୁତ ବୋଲି ରଞ୍ଜନ ତାଙ୍କୁ କହିଥିବା ସିଲୁ କହିଛନ୍ତି। ରଞ୍ଜନଙ୍କ ସ୍ତ୍ରୀ ରେଶ୍ମା ଓ ଶିଶୁପୁତ୍ର ଆୟୁଷ୍ମାନ(୫ବର୍ଷ) ଏଠାରେ ଅଛନ୍ତି। ତେବେ ଦୁଇ ଭାଇଙ୍କ ପାଇଁ ବହୁତ ଗର୍ବ ଅନୁଭବ କରିଥାଉ। ତେବେ ଯୁଦ୍ଧ ବନ୍ଦ ହେବା ଖବର ପାଇଁ ଖୁସି ଲାଗୁଛି ବୋଲି ସିଲୁ କହିଛନ୍ତି