December 22, 2025

୩୧ ଯାଏଁ ଗ୍ରୀଷ୍ମ ପ୍ରବାହ

1 min read

ଭୁବନେଶ୍ବର: ସାରା ରାଜ୍ୟରେ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଛି। ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୦.୮, ବୌଦ୍ଧରେ ୪୦.୫, ସୋନପୁରରେ ୪୦.୨, ହୀରାକୁଦରେ ୪୦.୧, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ୩୮.୫ ଡିଗ୍ରିରେ ପହଞ୍ଚିଛି। ଆସନ୍ତା ୩ ଦିନ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।

ପଶ୍ଚିମ ଓଡ଼ିଶାର ସମସ୍ତ ସହର ଉତ୍ତପ୍ତ ହେବା ସହ ସ୍ଥାନେ ସ୍ଥାନେ ୪୫ ଡିଗ୍ରି ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆହୁରି କୁହାଯାଇଛି ‌ଯେ ୨୮ ତାରିଖରେ ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରିରେ ପହଞ୍ଚିବାର ଆଶଙ୍କା ରହିଛି। କଟକ ଓ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ପାରଦ ୪୦ ଡିଗ୍ରି ପାଖାପାଖି ରହିବ। ୨୯ ଓ ୩୦ ତାରିଖରେ ତାତି ଆହୁରି ବଢ଼ିବ। ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼, ରାଉରକେଲା, ବରଗଡ଼ ଜିଲ୍ଲାରେ ୪୩ ଡିଗ୍ରି ଟପିବାକୁ ଥିବା ବେଳେ ସମ୍ବଲପୁର, ବୌଦ୍ଧ, ସୋନପୁର, ଟିଟିଲାଗଡ଼ ଓ ଭାବାନୀପାଟଣାରେ ୪୨ ଡିଗ୍ରି ଛୁଇଁପାରେ।